
ନେପାଳ : ନେପାଳ ଇତିହାସରେ ୨୬ ଅଗଷ୍ଟ କେବଳ ଏକ ତାରିଖ ନୁହେଁ, ଏହା ଏକ କଳା ଅଧ୍ୟାୟ। ପ୍ରଚଣ୍ଡ ବନ୍ୟା ସ୍ରୋତ ମାଡ଼ିଗଲା ଏବଂ ଚାରିଆଡ଼େ ପାଣିର ପ୍ରଚଣ୍ଡ ସ୍ରୋତ । ସାଙ୍ଗରେ ମାଟି, ପଥର ଓ ଭଗ୍ନାବଶେଷ । ଯାହା ସାମ୍ନାରେ ପଡ଼ିଲା, ତାହାକୁ ଭସାଇ ନେଇଗଲା । ଅନେକ ଧନସମ୍ପତ୍ତି ନଷ୍ଟ ହେବା ସହିତ ଜୀବନହାନି ମଧ୍ୟ ଘଟିଛି । ନଦୀରେ ହଠାତ୍ ଜଳସ୍ତର ବଢ଼ିବା ଯୋଗୁଁ ଅନେକ ହାଇଡ୍ରୋପାୱାର ପ୍ରକଳ୍ପ, ସେତୁ, ରାସ୍ତାଘାଟ ଏବଂ ବାସଗୃହ ସମ୍ପୂର୍ଣ୍ଣ ଭାସିଯାଇଛି । ପ୍ରକୃତିର ଏହି କରାଳ ପ୍ରକୋପରେ ଶତାଧିକ ଲୋକ ନିଖୋଜ ହୋଇଯାଇଥିବା ବେଳେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ବନ୍ୟା ଅଞ୍ଚଳରେ ଅନେକ ପର୍ଯ୍ୟଟକ ଓ ଶ୍ରମିକ ବିଭିନ୍ନ ଟନେଲ୍ ଏବଂ ଦୁର୍ଗମ ସ୍ଥାନରେ ଫସି ରହିଥିବା ଜଣାପଡ଼ିଛି। ଭୟଙ୍କର ବନ୍ୟାରେ ଅତି କମରେ ୯୫୫ ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ଦେଶର ବିପର୍ଯ୍ୟୟ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି। ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଉଦ୍ଧାର ପ୍ରୟାସ ଜୋରଦାର କରାଯାଇଛି।ବର୍ତ୍ତମାନ ନେପାଳ ସେନା, ସଶସ୍ତ୍ର ପୁଲିସ ବାହିନୀ ଏବଂ ଭାରତୀୟ ଉଦ୍ଧାରକାରୀ ଦଳ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରଖିଛନ୍ତି । ଖରାପ ପାଗ ଏବଂ ଚାରିଆଡ଼େ ପଚପଚ କାଦୁଅ ଯୋଗୁଁ ପ୍ରତିବନ୍ଧକ ସୃଷ୍ଟି ହେଉଥିଲେ ହେଁ ବିପନ୍ନମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ।





