
କୋଲକାତା : ଦୁର୍ଗାପୂଜା ମହୋତ୍ସବରେ ଘଟିଛି ହୃଦୟବିଦାରକ ଅଘଟଣ । ଉତ୍ତର କୋଲକାତାର ଚୋରବାଗାନ ସାର୍ବଜନୀନ ପୂଜା ପେଣ୍ଡାଲର ଏକ ଅଂଶ ଭିଡ଼ ଚାପରେ ଭୁଷୁଡ଼ି ପଡ଼ିଛି। ରିପୋର୍ଟ ଅନୁଯାୟୀ, ଏହି ଘଟଣା ପରେ ସେଠାରେ ଦଳାଚକଟା ପରି ପରିସ୍ଥିତି ସୃଷ୍ଟି ହୋଇଥିଲା, ଯେଉଁଥିରେ ୧୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ପ୍ରାୟ ୪୦ ଜଣ ଆହତ ହୋଇଛନ୍ତି।
ଏହି ଘଟଣା ପରେ ପ୍ରଭାବିତ ସମସ୍ତ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ କଲିକତା ମେଡିକାଲ୍ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ବିଷୟରେ ଖବର ପାଇବା ପରେ ପୋଲିସ ଏବଂ ବିପର୍ଯ୍ୟୟ ପରିଚାଳନା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଲେ। ପରିସ୍ଥିତିକୁ ସମ୍ଭାଳିବା ପାଇଁ ପୂଜା ଆୟୋଜକମାନେ ମଧ୍ୟ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ସାମିଲ ହେଲେ। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏବଂ ମୁଖ୍ୟ ସଚିବ ମନୋଜ ଅଗ୍ରୱାଲ କଲିକତା ମେଡିକାଲ କଲେଜରେ ପହଞ୍ଚିଛନ୍ତି।
ଆୟୋଜକମାନଙ୍କ ଅନୁଯାୟୀ, ପୂଜା ପଣ୍ଡାଲରେ ବହୁତ ଭିଡ଼ ଜମିଥିଲା। ବର୍ଷା ଆରମ୍ଭ ହେବା ପରେ ଲୋକମାନେ ପଣ୍ଡାଲ ଭିତରକୁ ଯିବାକୁ ଲାଗିଲେ ଏବଂ ଠିକ୍ ସେହି ସମୟରେ ଏହି ଘଟଣା ଘଟିଲା। ଏହି ଘଟଣା ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ସମୟରେ ଘଟିଥିଲା।
ଜଣେ ଭକ୍ତ କହିଲେ, “ମୁଁ ଶୁଣିଲି ଯେ ମଣ୍ଡପର ଏକ ଅଂଶ ଭୁଷୁଡ଼ି ପଡ଼ିଲା। ଲୋକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ଦୌଡ଼ିବା ଆରମ୍ଭ କଲେ; ସେମାନେ ତଳେ ପଡ଼ିଗଲେ ଏବଂ ଅନ୍ୟମାନଙ୍କ ପାଦ ତଳେ ଦଳି ହୋଇଗଲେ।” ଏହି ସମୟରେ, ଅନ୍ୟ ଜଣେ ଭକ୍ତ କହିଛନ୍ତି ଯେ, ସେଠାରେ ପ୍ରବଳ ଭିଡ଼ ଥିଲା। ବର୍ଷାରୁ ରକ୍ଷା ପାଇବା ପାଇଁ ଲୋକମାନେ ମଣ୍ଡପ ଭିତରକୁ ଆସିବାରୁ ଭିଡ଼ ବଢ଼ିଗଲା ଏବଂ ଏକାସାଙ୍ଗରେ ଅନେକ ଲୋକଙ୍କ ଆଗମନ ଯୋଗୁଁ ସେଠାରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହେଲା।
ଘଟଣା ପରେ ଚୋରବାଗାନ ଦୁର୍ଗାପୂଜା କମିଟିର ସାଧାରଣ ସମ୍ପାଦକ ଜୟନ୍ତ ବାନାର୍ଜୀଙ୍କ ସମେତ କିଛି କର୍ମକର୍ତ୍ତା ଇସ୍ତଫା ଦେଇଥିବା କୁହାଯାଇଛି। ଘଟଣାକୁ ନେଇ ପୁଲିସ ଆୟୋଜକ ଏବଂ ଘରୋଇ ସୁରକ୍ଷାକର୍ମୀଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଦଳାଚକଟାର କାରଣ, ମଣ୍ଡପର ସୁରକ୍ଷା ବ୍ୟବସ୍ଥା ଏବଂ ଭିଡ଼ ନିୟନ୍ତ୍ରଣରେ କୌଣସି ଅବହେଳା ହୋଇଥିଲା କି ନାହିଁ, ତାହାର ଯାଞ୍ଚ ଚାଲିଛି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କ ପାଇଁ 80,000 ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏହି ଘଟଣାରେ ଦୁଃଖପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ୍ରେ କଥା ହୋଇ ସ୍ଥିତି ତଦାରଖ କରିଛନ୍ତି।ଶାହ ଆଜି ଆହତମାନଙ୍କୁ ହସ୍ପିଟାଲରେ ଭେଟିବେ । ଅନ୍ୟପକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ ଚୋରବାଗାନ ପୂଜା ମଣ୍ଡପର ଏହି ଦଳାଚକଟା ଘଟଣାକୁ ନେଇ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଟିଏମ୍ସି ଏହି ଘଟଣାରେ ପୁଲିସ ପ୍ରଶାସନ ଓ ବିଜେପିକୁ ଦାୟୀ କରିଛି।





