
ନୂଆଦିଲ୍ଲୀ : ଦିଲ୍ଲୀରେ ଲଗାତାର ଦୁଇ ଦିନ ଧରି ଚାଲିଥିବା ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏହି କାରଣରୁ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆଜି ପାଇଁ ମଧ୍ୟ ରେଡ୍ ଆଲର୍ଟ ଜାରି କରିଛି । ଏହା ସହିତ ଲୋକମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି । ପାଣିପାଗ ବିଭାଗ କହିଛି ଯେ ଆଗାମୀ କିଛି ଘଣ୍ଟା ପର୍ଯ୍ୟନ୍ତ ବର୍ଷାର ଏହି ଦୌର ଜାରି ରହିବ ।
ରେଡ୍ ଆଲର୍ଟ ଅନୁଯାୟୀ ଝଡ଼ବର୍ଷା ଓ ତୀବ୍ର ପବନର ମଧ୍ୟ ଆଶଙ୍କା ରହିଛି । ଦିଲ୍ଲୀରେ ମଙ୍ଗଳବାର ସକାଳ ପ୍ରାୟ ୬ଟା ୩୦ରୁ କେତେକ ସ୍ଥାନରେ ଏବଂ ୭ଟାରୁ ଅନ୍ୟ କେତେକ ଅଞ୍ଚଳରେ ଜୋରଦାର ବର୍ଷା ହେଉଛି । ସ୍କୁଲ୍ ଓ କଲେଜ୍ ଯାଉଥିବା ଛାତ୍ରଛାତ୍ରୀମାନେ ଏହା ଯୋଗୁଁ ବହୁତ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଅଧିକାଂଶ ସ୍କୁଲ୍ରେ ‘ରେନି ଡେ’ ଘୋଷଣା କରାଯାଇଛି । ଅନ୍ୟପଟେ, ଜଳଜମା ଯୋଗୁଁ ସକାଳୁ ହିଁ ଲୋକମାନେ ଟ୍ରାଫିକ୍ ଜାମରେ ଫସିଯାଇଛନ୍ତି । ବିଭିନ୍ନ ସ୍ଥାନରେ ପାଣି ଜମିଯାଇଥିବାରୁ ରାସ୍ତାରେ ଯାତାୟାତ କରିବା ମଧ୍ୟ କଷ୍ଟକର ହୋଇପଡ଼ିଛି । ଆଇଏମଡି ମଙ୍ଗଳବାର ସକାଳ ୧୦ଟା ୧୩ ମିନିଟ୍ ପର୍ଯ୍ୟନ୍ତ ଜାରି କରିଥିବା ଆଲର୍ଟ ଅନୁଯାୟୀ, ଦିଲ୍ଲୀର ସମସ୍ତ ଜିଲ୍ଲା- ସେଣ୍ଟ୍ରାଲ୍ ଦିଲ୍ଲୀ, ଇଷ୍ଟ ଦିଲ୍ଲୀ, ନ୍ୟୁ ଦିଲ୍ଲୀ, ନର୍ଥ ଦିଲ୍ଲୀ, ନର୍ଥ ଇଷ୍ଟ ଦିଲ୍ଲୀ, ନର୍ଥ ୱେଷ୍ଟ ଦିଲ୍ଲୀ, ଶାହଦରା, ସାଉଥ ଦିଲ୍ଲୀ, ସାଉଥ ଇଷ୍ଟ ଦିଲ୍ଲୀ, ସାଉଥ ୱେଷ୍ଟ ଦିଲ୍ଲୀ ଏବଂ ୱେଷ୍ଟ ଦିଲ୍ଲୀରେ ରେଡ୍ ଆଲର୍ଟ ରହିଛି ।





