odisha24 Live

Latest News

Latest News

ଖାମେନେଇଙ୍କ ସ୍ୱାସ୍ଥ୍ୟକୁ ନେଇ ପରଦା ହଟିଲା

ତେହରାନ : ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କ ସ୍ଥିତି ଓ ସ୍ୱାସ୍ଥ୍ୟକୁ ନେଇ ଦୀର୍ଘ ଦିନରୁ ଚାଲିଥିବା ରହସ୍ୟ ଉପରୁ ପରଦା ହଟିଛି । ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ନେଇ ଇରାନ ସରକାର ଓ ଗଣମାଧ୍ୟମ ପକ୍ଷରୁ ସ୍ପଷ୍ଟ କରିଛନ୍ତି। ଏହି ଉଦ୍ଦେଶ୍ୟରେ ଇରାନର ସରକାରୀ ସମ୍ବାଦ ସଂସ୍ଥା ପକ୍ଷରୁ ଏକ ନୂଆ ଭିଡିଓ ଜାରି କରାଯାଇଛି। ଏହି ଭିଡିଓରେ ମୋଜତାବା ଖାମେନେଇ କିଛି ଲୋକଙ୍କ ସହ କଥାବାର୍ତ୍ତା କରୁଥିବାର ନଜର ଆସିଛନ୍ତି। ତେବେ ଏହି ଭିଡିଓଟି କେବେ ଏବଂ କେଉଁ ସ୍ଥାନରେ ସୁଟିଂ କରାଯାଇଛି, ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ମାତ୍ର ୧୫ ସେକେଣ୍ଡର ଏହି କ୍ଲିପରେ ତାଙ୍କର ସ୍ୱର ପ୍ରଥମ ଥର ପାଇଁ ଶୁଣିବାକୁ ମିଳିଛି। ଆୟାତୋଲ୍ଲା ଅଲି ଖାମେନେଇଙ୍କ ଯୁଦ୍ଧରେ ମୃତ୍ୟୁ ପରେ ମୋଜତାବାଙ୍କର ଏହା ହେଉଛି ପ୍ରଥମ ଭିଡିଓ।
ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ମାସରେ ଇରାନର ନୂତନ ସର୍ବୋଚ୍ଚ ନେତା ଭାବେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ମୋଜତାବା ସର୍ବସାଧାରଣରେ ଦେଖାଦେଇ ନଥିଲେ। ତାଙ୍କ ପିତାଙ୍କ ମୃତ୍ୟୁ ପରେ ସେ ମଧ୍ୟ ଗୁରୁତର ଆହତ ହୋଇଥିବା ରିପୋର୍ଟ ପ୍ରକାଶ ପାଇଥିଲା। ଏହି ସବୁ କାରଣରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବଂ ଜୀବିତ ଥିବା ନେଇ ଅନେକ ପ୍ରଶ୍ନ ଉଠୁଥିଲା। ରାଷ୍ଟ୍ରପତି ମାସୁଦ ପେଜେସକିଆନ ମଧ୍ୟ ତାଙ୍କ ସହ ଯୋଗାଯୋଗ କରିବା କଷ୍ଟକର ହେଉଥିବା ପୂର୍ବରୁ ପ୍ରକାଶ କରିଥିଲେ। ତେବେ ନିକଟରେ ଉଭୟଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିବା ନେଇ ଇରାନ ଗଣମାଧ୍ୟମ ଦାବି କରିଛି। ଆଗାମୀ ଦିନରେ ନେତାଙ୍କର ଆହୁରି ଅନେକ ଫୁଟେଜ୍ ଏବଂ ଭିଡିଓ ସାର୍ବଜନୀନ କରାଯିବ ବୋଲି ଇରାନର ବରିଷ୍ଠ ଅଧିକାରୀମାନେ ସୂଚନା ଦେଇଛନ୍ତି। ଏହି ନୂତନ ଭିଡିଓ ଜାରି ହେବା ପରେ, ତାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଉଠୁଥିବା ପ୍ରଶ୍ନ ଉପରେ କିଛି ମାତ୍ରାରେ ବିରାମ ଲାଗିବ ବୋଲି ଆଶା କରାଯାଉଛି। ତଥାପି, ଭିଡିଓରେ କୌଣସି ତାରିଖ ନଥିବାରୁ ଏହାର ସତ୍ୟତାକୁ ନେଇ କିଛି ସ୍ତରରେ ସନ୍ଦେହ ମଧ୍ୟ ଲାଗି ରହିଛି, ଯାହାକି ଏବେ ଅନେକ ଦେଶର ବିଶେଷଜ୍ଞଙ୍କ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି ।

Share In Social Media
Scroll to Top