
ନୂଆଦିଲ୍ଲୀ : ଖରାପ ପାଗ ଯୋଗୁଁ ଅମରନାଥ ଯାତ୍ରା ଲଗାତାର ତୃତୀୟ ଦିନ ପାଇଁ ସ୍ଥଗିତ ରହିଛି। ରାଜପଥ ମରାମତି କାର୍ଯ୍ୟ ଜାରି ରହିଥିବାରୁ ଶ୍ରଦ୍ଧାଳୁଙ୍କ କୌଣସି ନୂଆ ଦଳକୁ କାଶ୍ମୀର ଉପତ୍ୟକା ଆଡ଼କୁ ଯିବାକୁ ଅନୁମତି ଦିଆଯାଇ ନାହିଁ । ଅନ୍ୟପକ୍ଷରେ, ଜମ୍ମୁରେ ପହଞ୍ଚୁଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା କମିବା ପରେ ଶ୍ରୀ ଅମରନାଥଜୀ ଶ୍ରାଇନ୍ ବୋର୍ଡ ପକ୍ଷରୁ ପଞ୍ଜୀକରଣ ଓ ଟୋକନ୍ ବଣ୍ଟନ କେନ୍ଦ୍ରକୁ ତାୱି ରିଭରଫ୍ରଣ୍ଟରୁ ଭଗବତୀ ନଗର ବେସ୍ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି ।ସୂଚନା ଅନୁଯାୟୀ, ଗତ ଜୁଲାଇ ୩ ତାରିଖରୁ ଯାତ୍ରା ଆରମ୍ଭ ହେବା ପରଠାରୁ ପ୍ରାୟ ୪.୫ ଲକ୍ଷ ଶ୍ରଦ୍ଧାଳୁ ପବିତ୍ର ଗୁମ୍ଫା ଦର୍ଶନ କରିସାରିଛନ୍ତି । ଅଗଷ୍ଟ ୨୮ ରକ୍ଷାବନ୍ଧନ ଅବସରରେ ଏହି ଯାତ୍ରା ସମାପ୍ତ ହେବାର କାର୍ଯ୍ୟକ୍ରମ ରହିଛି । ଉଧମପୁର ଜିଲ୍ଲାର ଲାଧା-ସାମରୋଲି ମଧ୍ୟବର୍ତ୍ତୀ ରାସ୍ତାରେ ମରାମତି କାମ ଚାଲିଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ପାଣିପାଗ ଓ ରାସ୍ତା ସ୍ଥିତି ସୁଧୁରିଲେ ଯାତ୍ରା ପୁନଃ ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

