odisha24 Live

Latest News

Latest News

ଡିଜିପିଙ୍କ ତଦନ୍ତ ନିର୍ଦ୍ଦେଶ

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ସାମୁଦ୍ରିକ ଥାନାର ପୂର୍ବତନ ଅଧିକାରୀ ତଥା ବର୍ତ୍ତମାନ ସିଆଇଡି କ୍ରାଇମବ୍ରାଞ୍ଚରେ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ସନ୍ଧ୍ୟାରାଣୀ ଜେନାଙ୍କ ଅଡୁଆ ବଢ଼ିଛି । ତାଙ୍କ ବିରୋଧରେ ଆସିଥିବା ଗୁରୁତର ଅଭିଯୋଗ ଉପରେ ଡିଜିପି ବିଭାଗୀୟ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କ ବିରୋଧରେ କର୍ତ୍ତବ୍ୟରେ ଅବହେଳା, ସରକାରୀ ପଦବୀର ଅପବ୍ୟବହାର, ପ୍ରମାଣ ନଷ୍ଟ କରିବା ଓ ପୋଲିସ ଅଧିକାରୀଙ୍କ ଆଚରଣବିଧ ଉଲ୍ଲଂଘନ ଅଭିଯୋଗ ହୋଇଥିଲା ।
ସନ୍ଧ୍ୟାରାଣୀ ରାଜନଗର ବ୍ଲକ୍‌ର ତାଳଚୁଆ ସାମୁଦ୍ରିକ ଥାନାରେ ଆଇଆଇସି ଥିବା ବେଳେ ବାଘମାରି ପଞ୍ଚାୟତ ଗିରିଆପାହି ଗାଁର ଜଣେ ମହିଳା ଓ ତାଙ୍କ ପୁଅକୁ ଆକ୍ରମଣ, ଧମକ ଓ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଗତ ମେ’ ୨୫ ତାରିଖରେ ଏକ ପାରିବାରିକ ବିବାଦ ମାମଲାରେ ଥାନା ପରିସରରେ ଏ ଘଟଣା ଘଟିଥିଲା । ଗାଁର ପବନ ମଣ୍ଡଳ ତାଙ୍କ ପତ୍ନୀ ଓ ପୁଅ ବିରୋଧରେ ତାଳଚୁଆ ସାମୁଦ୍ରିକ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଡାକରା ପାଇ ଅନ୍ନପୂର୍ଣ୍ଣା ଓ ପୁଅ ଅନନ୍ତ ମେ’ ୨୫ ସନ୍ଧ୍ୟାରେ ଥାନାକୁ ଯାଇ ପବନଙ୍କ ବିରୋଧରେ ପାଲଟା ଅଭିଯୋଗ ପତ୍ର ଆଇଆଇସି ସନ୍ଧ୍ୟାରାଣୀଙ୍କୁ ଦେଇଥିଲେ । ମାତ୍ର ସନ୍ଧ୍ୟାରାଣୀ ଅଭିଯୋଗ ପତ୍ର ରଖିବା ପରିବର୍ତ୍ତେ ତାଙ୍କୁ ଗାଳିଗୁଲଜ କରି ନିର୍ଯାତନା ଦେଇଥିଲେ ।
ସନ୍ଧ୍ୟାରାଣୀ ଥାନା ଶୌଚାଳୟରେ ଥାର୍ଡ ଡିଗ୍ରୀ ଦେଇଥିବା ପଟ୍ଟାମୁଣ୍ଡାଇ ଏସ୍‌ଡିପିଓଙ୍କୁ ଭେଟି ଅଭିଯୋଗ କରିଥିଲେ ଅନ୍ନପୂର୍ଣ୍ଣା । କେନ୍ଦ୍ରାପଡ଼ା ଏସ୍‌ପି ସିଦ୍ଧାର୍ଥ କଟ୍ଟାରିଆ ଓ ଏସ୍‌ଡିପିଓ ସୁକାନ୍ତ ପାତ୍ର ଥାନାରେ ପହଞ୍ଚି ଛାନଭିନ କରିଥିଲେ । ଉଭୟ ଅଧିକାରୀଙ୍କ ତଦନ୍ତ ରିପୋର୍ଟ ଆଧାରରେ ଡିଜିପି ମେ’ ୨୭ ତାରିଖ ଦିନ ସନ୍ଧ୍ୟାରାଣୀଙ୍କୁ ନିଲମ୍ବନ କରିଥିଲେ ।

Share In Social Media
Scroll to Top