odisha24 Live

Latest News

Latest News

ବିପଦରେ ବୈତରଣୀ ନଦୀ

ଭୁବନେଶ୍ୱର : ଲଗାଣ ବର୍ଷା ପ୍ରଭାବରେ ବୈତରଣୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ରାଜ୍ୟର ତିନୋଟି ନଦୀରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ସାଳନ୍ଦୀ, ଜଳକା ଓ ବୈତରଣୀରେ ଜଳସ୍ତର ବିପଦ ସଙ୍କେତ ଡେଇଁଛି। ବନ୍ୟାଜଳ ସହରାଞ୍ଚଳ ଓ ଗାଁଗଣ୍ଡାରେ ପଶିଲାଣି। ଏପରିକି ଭଦ୍ରକ ସମେତ କେତେକ ଜିଲାର ଲୋକେ ଜଳଘେରରେ ରହିଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଶ୍ୱସ୍ତ କରାଯିବା ସହ ସବୁପ୍ରକାର ସ୍ଥିତି ମୁକାବିଲା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ମଙ୍ଗଳବାର ବିଭାଗୀୟ ଅଧିକାରୀଙ୍କ ସହ ଲୋକସେବା ଭବନରେ ସମୀକ୍ଷା ବୈଠକ ପରେ ପୂଜାରୀ ଗଣମାଧ୍ୟମକୁ କହିଛନ୍ତି, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ାରେ ଏବେ ବି ବର୍ଷା ଲାଗିରହିଛି। ଉପରମୁଣ୍ଡରେ ବର୍ଷା ହେଉଥିଲେ ହେଁ ରାଜ୍ୟରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବନ୍ୟାକୁ ନେଇ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି। ସାରା ଓଡ଼ିଶାରେ ହାରାହାରି ୪୭.୨ ମିଲିମିଟର ବର୍ଷା ହୋଇଛି। ବର୍ତ୍ତମାନ ବୈତରଣୀ, ସାଳନ୍ଦୀ ଓ ଜଳକାରେ ଜଳସ୍ତର ବିପଦ ସଙ୍କେତ ଟପିଛି। ବନ୍ୟାଜଳ ସହରାଞ୍ଚଳରେ ପଶିଛି। ବହୁ ଲୋକ ଜଳଘେରରେ ଅଛନ୍ତି। ଓଡ୍ରାଫ୍‌ ଟିମ୍‌ ପକ୍ଷରୁ ସେମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏନ୍‌ଡିଆର୍‌ଏଫ୍‌ ଟିମ୍‌ ହାଇ ଆଲର୍ଟ ମଧ୍ୟରେ ଅଛି। ଭଦ୍ରକ ଓ ସୁନ୍ଦରଗଡ଼ର କିଛି ସ୍ଥାନରୁ ଲୋକଙ୍କୁ ଅନ୍ୟ ଜାଗାକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ପାଣିପାଗ ବିଭାଗର ପ୍ରାକ୍‌ ସୂଚନା ଅନୁଯାୟୀ, ବୁଧବାର ପର୍ଯ୍ୟନ୍ତ ବର୍ଷା ଜାରି ରହିବ। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଜିଲା ପ୍ରଶାସନ ସହ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନିୟମିତ ଯୋଗାଯୋଗରେ ଅଛନ୍ତି। ଭଦ୍ରକର ୩୫ ପରିବାର ଏବେ ଜଳଘେରରେ ଅଛନ୍ତି। ବୋଟ୍‌ ଯୋଗେ ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଉଛି।

Share In Social Media
Scroll to Top