
ବାରିପଦା : ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ବାରିପଦାରୁ ୨ ଅଡିଟ୍ ଅଫିସର୍ଙ୍କୁ ଧରିଲା ବାଲେଶ୍ୱର ଭିଜିଲାନ୍ସ ଟିମ୍। ୫ ଲକ୍ଷରୁ ଅଧିକ ଟଙ୍କା ନେଇ ଯିବା ବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍। ଅଡିଟ୍ ଅଫିସର୍ ପ୍ରଜ୍ଞା ପ୍ରକାଶ ପାତ୍ର ଓ ପ୍ରଶାନ୍ତ ପ୍ରଧାନ ଅଟକ।
ଗତକାଲି ବିଳମ୍ବିତ ରାତିରେ ଉଭୟ ଅଫିସର ବ୍ୟାଗ୍ ଓ ଆଟାଚିରେ ନଗଦ ଟଙ୍କା ଭର୍ତ୍ତି କରି ଏକ ସରକାରୀ ବୋଲେରୋ ଗାଡ଼ି ଯୋଗେ ଖସି ପଳାଇବାକୁ ଯୋଜନା କରୁଥିବା ବେଳେ ବାଲେଶ୍ୱର ଭିଜିଲାନ୍ସ ଏସପିଙ୍କ ତତ୍ତ୍ୱାବଧାନରେ ବାରିପଦା ଓ ବାଲେଶ୍ୱର ଭିଜିଲାନ୍ସର ମିଳିତ ଟିମ୍ ସେମାନଙ୍କୁ ରାସ୍ତା ଉପରେ ପିଛା କରି କାବୁ କରିଥିଲା । ଯାଞ୍ଚ ସମୟରେ ଅଧିକାରୀ ଦ୍ୱୟଙ୍କ ନିକଟରୁ ବ୍ୟାଗ୍ ଭର୍ତ୍ତି ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଓ ବୋଲେରୋ ଗାଡ଼ି ଜବତ କରାଯାଇଛି । ପରେ ସେମାନେ ରହୁଥିବା ହୋଟେଲ ରୁମରେ ମଧ୍ୟ ଚଢ଼ାଉ କରାଯାଇ ଆହୁରି ନଗଦ ଅର୍ଥ ଠାବ ହୋଇଥିବା ବେଳେ ରାତି ତମାମ ଟଙ୍କା ଗଣତି ଜାରି ରହିଥିଲା। ଉଭୟଙ୍କ ନିକଟରୁ ମିଳିଥିବା ଟ୍ରଲି ବ୍ୟାଗରୁ ୫ ଲକ୍ଷ ୫୧ ହଜାର ୫୧୦ ନଗଟ ଟଙ୍କା ଜବତ କରାଯାଇଛି । ଯାହାକି ୫୨ ଟି ଲଫାପା ଏବଂ ୨୦ ଟି ବିଡ଼ାରେ ବନ୍ଧା ହୋଇ ରହିଥିଲା । ସେହିପରି ହୋଟେଲ ରୁମ ଯାଞ୍ଚ ବେଳେ ୮ ଲକ୍ଷ ୮୬ ହଜାର ୮୩୦ ଟଙ୍କା ଜବତ କରାଯାଇଛି । ମୋଟ ୧୪ ଲକ୍ଷ ୩୮ ହଜାର ୩୪୦ ଟଙ୍କା ଜବତ କରାଯାଇଛି । ମିଳିଥିବା ଟଙ୍କାର ସନ୍ତୋଷ ଜନକ ଉତ୍ତର ନ ଦେଇପାରିବାରୁ ଭିଜିଲାନ୍ସ ଉଭୟଙ୍କୁ ଅଟକ ରଖିଛି ।
ଏହା ପରେ ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟ ସମେତ ପୁରୀ ଓ ଭୁବନେଶ୍ୱର ସ୍ଥିତ ବାସଭବନରେ ମଧ୍ୟ ଭିଜିଲାନ୍ସ ଟିମ୍ ଏକକାଳୀନ ଚଢ଼ାଉ ଜାରି ରଖିଛି। ଅଟକ ଉଭୟ ଅଭିଯୁକ୍ତଙ୍କୁ ଭୁବନେଶ୍ୱର କାର୍ୟ୍ୟାଳୟକୁ ନିଆଯାଇଛି ଭିଜିଲାନ୍ସ ଏସପି ଅରୁଣ କୁମାର ନାୟକ ସୂଚନା ଦେଇଛନ୍ତି।





