odisha24 Live

Latest News

Latest News

ଅସୁରକ୍ଷିତ କୋଠା ଚିହ୍ନଟକୁ ଗୁରୁତ୍ୱ, ୧୫ ଦିନରେ ରିପୋର୍ଟ ନିର୍ଦ୍ଦେଶ

ଭୁବନେଶ୍ୱର : ରାଜ୍ୟବ୍ୟାପୀ ଅସୁରକ୍ଷିତ ଏବଂ ଜରାଜୀର୍ଣ୍ଣ କୋଠା ଚିହ୍ନଟ କରିବା ପାଇଁ ଓଡ଼ିଶା ସରକାର ୧୫ ଦିନିଆ ଯାଞ୍ଚ ଅଭିଯାନ ଆରମ୍ଭ କରିଛନ୍ତି। ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ବିପଦପୂର୍ଣ୍ଣ ସରକାରୀ କୋଠାଗୁଡ଼ିକର ମୂଲ୍ୟାଙ୍କନ ପୂର୍ବରୁ କରାଯାଇଛି ଏବଂ ଆବଶ୍ୟକ ସ୍ଥଳେ ନୋଟିସ୍ ମଧ୍ୟ ଜାରି ହୋଇଛି । ଏହି ପ୍ରସଙ୍ଗରେ ଗତକାଲି ବିଭାଗ ସହ ଆଉ ଏକ ସମୀକ୍ଷା ବୈଠକ କରାଯାଇଥିବା ସେ ସୂଚନା ଦେଇଛନ୍ତି ।

“ମୂଲ୍ୟାଙ୍କନ ଆଧାରରେ ବିପଦସଙ୍କୁଳ ଭାବେ ଚିହ୍ନଟ ସମସ୍ତ ସରକାରୀ କୋଠା ଯାଞ୍ଚ କରାଯାଇଛି ଏବଂ ନୋଟିସ୍ ମଧ୍ୟ ପଠାଯାଇଛି । ଗତକାଲି ସେ ବିଭାଗ ସହିତ ଆଉ ଏକ ସମୀକ୍ଷା କରିଛି । ଖୁବ୍ ଶୀଘ୍ର ବିପଦପୂର୍ଣ୍ଣ ପ୍ରମାଣିତ କୋଠାଗୁଡ଼ିକୁ ଭାଙ୍ଗିବା ପାଇଁ ନୋଟିସ୍ ଜାରି କରାଯିବ,” ବୋଲି ଡଃ ମହାପାତ୍ର କହିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ତାଙ୍କ ବିଭାଗ ଅଧୀନରେ ଥିବା ବିପଦପୂର୍ଣ୍ଣ କୋଠାଗୁଡ଼ିକ ବିରୋଧରେ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ। ଅନ୍ୟ ସରକାରୀ ବିଭାଗ ଅଧୀନରେ ଥିବା କୋଠାଗୁଡ଼ିକ ସମ୍ପର୍କରେ ସମ୍ପୃକ୍ତ ବିଭାଗକୁ ଅବଗତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ସମନ୍ୱୟ ରକ୍ଷା କରାଯିବ । ଏହି ଅଭିଯାନର ପରିସରକୁ ଘରୋଇ କୋଠା ଗୁଡ଼ିକ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ପ୍ରଚଳିତ ଆଇନ ଓ ନିୟମ ଅନୁଯାୟୀ ବିପଦଜନକ ବା ଅତ୍ୟନ୍ତ ଦୁର୍ବଳ ଅବସ୍ଥାରେ ଥିବା ଘରୋଇ କୋଠାଗୁଡ଼ିକର ଯାଞ୍ଚ କରାଯିବ । ଆବଶ୍ୟକ ସ୍ଥଳେ ସମ୍ପୃକ୍ତ ମାଲିକଙ୍କୁ ନୋଟିସ୍ ଜାରି କରାଯାଇ ଆଇନାନୁଯାୟୀ ପଦକ୍ଷେପ ନିଆଯିବ ।

ଏଥିପାଇଁ ୧୫ ଦିନିଆ ଯାଞ୍ଚ ଓ ପରିଦର୍ଶନ ଅଭିଯାନ ହାତକୁ ନିଆଯାଇଛି। ଗଠିତ ଯାଞ୍ଚକାରୀ ଦଳ ସନ୍ଦେହଜନକ ବିପଦପୂର୍ଣ୍ଣ କୋଠାଗୁଡ଼ିକର ବିସ୍ତୃତ ଯାଞ୍ଚ କରିବା ସହ ସେମାନଙ୍କର ଗଠନାତ୍ମକ ସ୍ଥିତି ଓ ସୁରକ୍ଷାର ଆକଳନ କରିବେ। ନିର୍ଦ୍ଧାରିତ ସମୟ ମଧ୍ୟରେ ଯାଞ୍ଚ ରିପୋର୍ଟ ଦାଖଲ କରାଯିବ । “ଯାଞ୍ଚକାରୀ ଦଳ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବ। ଯାଞ୍ଚ ପରେ ଯେଉଁ କୋଠାଗୁଡ଼ିକ ବିପଦପୂର୍ଣ୍ଣ ଭାବେ ଶ୍ରେଣୀଭୁକ୍ତ ହେବ, ସେଗୁଡ଼ିକ ବିରୋଧରେ ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନିଆଯିବ। ଆବଶ୍ୟକ ସ୍ଥଳେ ସେଗୁଡ଼ିକୁ ଭାଙ୍ଗି ଦିଆଯିବ,” ବୋଲି ମନ୍ତ୍ରୀ କହିଛନ୍ତି । କଟକ ଓ ପୁରୀ ଭଳି ପୁରୁଣା ସହରଗୁଡ଼ିକରେ ଏହି ଯାଞ୍ଚ ଅଭିଯାନ ବିଶେଷ ଗୁରୁତ୍ୱ ବହନ କରୁଛି । ଏଠାରେ ଦୀର୍ଘଦିନ ଧରି ରହିଥିବା ପୁରୁଣା ଓ ଦୁର୍ବଳ କୋଠାଗୁଡ଼ିକର ଅବସ୍ଥା ଯାଞ୍ଚ କରାଯିବ। ସମ୍ପୃକ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଓ ଅନ୍ୟ କର୍ତ୍ତୃପକ୍ଷ ଏହି ପ୍ରକ୍ରିୟାରେ ସହଯୋଗ କରିବେ ।

ସରକାରଙ୍କ ଏହି ପଦକ୍ଷେପ ଏକ ପ୍ରତିଷେଧକ ଓ ସୁରକ୍ଷାଭିତ୍ତିକ ପଦକ୍ଷେପ। ଦୁର୍ଘଟଣା ଘଟିବା ପୂର୍ବରୁ ବିପଦକୁ ଚିହ୍ନଟ କରି ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏଥିସହ ସହରାଞ୍ଚଳରେ ନିରାପଦ ନିର୍ମାଣ ପରିବେଶ ସୁନିଶ୍ଚିତ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଓ ସମ୍ପୃକ୍ତ ସରକାରୀ ବିଭାଗ ସହ ସମନ୍ୱୟ ରକ୍ଷା କରି ଯାଞ୍ଚ, ନୋଟିସ୍ ଓ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ସମୟବଦ୍ଧ ଭାବେ କାର୍ଯ୍ୟକାରୀ କରିବ । ନାଗରିକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ଜନଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା କୌଣସି ଅସୁରକ୍ଷିତ କୋଠାକୁ ଅଣଦେଖା କରାଯିବ ନାହିଁ।

Share In Social Media
Scroll to Top