
ଭୁବନେଶ୍ଵର: ଓଡ଼ିଶାରେ ଅନଲାଇନ୍ ବାଇକ୍ ଟାକ୍ସି ସେବା ଉପରେ ଏକ ବଡ଼ଧରଣର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଉବେର ଓ ରାପିଡ଼ୋକୁ ରାଜ୍ୟରେ ଘରୋଇ ପଞ୍ଜୀକରଣ ଥିବା ଦୁଇଚକିଆ ଯାନ ମାଧ୍ୟମରେ ଯାତ୍ରୀ ପରିବହନ ସେବା ବନ୍ଦ କରିବାକୁ କ୍ରାଇମ୍ ବ୍ରାଞ୍ଚ ନିର୍ଦ୍ଦେଶ ଦେଇଛି। ଏଥିପାଇଁ ଉଭୟ କମ୍ପାନୀକୁ ନୋଟିସ୍ ମିଳିବାର ୧୫ ଦିନ ମଧ୍ୟରେ ଏହି ସେବା ବନ୍ଦ କରିବାକୁ କୁହାଯାଇଛି।
ମୋଟର ଯାନ ଆଇନର ନିୟମ ଉଲ୍ଲଂଘନ ଅଭିଯୋଗକୁ ଆଧାର କରି ଏହି ପଦକ୍ଷେପ ନିଆଯାଇଛି। ଘରୋଇ ପଞ୍ଜୀକରଣ ଥିବା ଅଣ-ପରିବହନ ଦୁଇଚକିଆ ଯାନକୁ ବାଣିଜ୍ୟିକ ଭାବେ ଯାତ୍ରୀ ପରିବହନରେ ବ୍ୟବହାର କରାଯାଉଥିବା ନେଇ କ୍ରାଇମ୍ବ୍ରାଞ୍ଚ ଆପତ୍ତି ଉଠାଇଛି।
୧୫ ଦିନ ମଧ୍ୟରେ ସେବା ବନ୍ଦ କରିବାକୁ ନିର୍ଦ୍ଦେଶ: ରିପୋର୍ଟ ଅନୁଯାୟୀ, ନଭେମ୍ବର ୧୦ ତାରିଖରେ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଏନେଇ ଚିଠି ଜାରି ହୋଇଥିଲା। କଟକ ଏବଂ ଭୁବନେଶ୍ୱରର ଦୁଇଟି RTO କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସ୍ୱତନ୍ତ୍ର ଏନ୍ଫୋର୍ସମେଣ୍ଟ ରିପୋର୍ଟ ଆଧାରରେ ଏହି ମାମଲାର ଯାଞ୍ଚ କରାଯାଇଥିବା ଜଣାପଡ଼ିଛି।ଉବେର ଓ ରାପିଡୋର ନୋଡାଲ୍ ଅଧିକାରୀଙ୍କୁ ଦିଆଯାଇଥିବା ନୋଟିସ୍ରେ ଆପ୍ ମାଧ୍ୟମରେ ବାଇକ୍ ଟ୍ୟାକ୍ସି ବୁକିଂ ସୁବିଧା ବନ୍ଦ କରିବାକୁ କୁହାଯାଇଛି। ନୋଟିସ୍ ମିଳିବାର ୧୫ ଦିନ ମଧ୍ୟରେ ସେବା ବନ୍ଦ କରିବା ସହ କ୍ରାଇମ୍ବ୍ରାଞ୍ଚ ଏବଂ ରାଜ୍ୟ ପରିବହନ ପ୍ରାଧିକରଣ ନିକଟରେ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି।
ଏହାସହ ଓଡ଼ିଶାର ସୀମା ଭିତରେ ବାଇକ୍ ଟ୍ୟାକ୍ସି ବୁକିଂ ବନ୍ଦ ରଖିବା ପାଇଁ ଜିଓ-ଫେନସିଂ ଟେକ୍ନୋଲୋଜି ବ୍ୟବସ୍ଥା କରିବାକୁ ମଧ୍ୟ କମ୍ପାନୀଗୁଡ଼ିକୁ କୁହାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ନିର୍ଦ୍ଦେଶ ପାଳନ ନକଲେ ଆଇନଗତ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦିଆଯାଇଛି।





