odisha24 Live

Latest News

Latest News

ସୁ ସୁ ଗର୍ଜନ କରି ମାଡି ଆସୁଛି ‘ମୁରାସୁ’

ଭୁବନେଶ୍ୱର : ଶକ୍ତିଶାଳୀ ହେଉଛି ବାତ୍ୟା ‘ମୁରାସୁ’। ସୋମବାର ସୁଦ୍ଧା ଭୀଷଣ ବାତ୍ୟା (ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ) ରୂପ ନେବ । ସୋମବାର ବିଳମ୍ବିତ ରାତି ଓ ମଙ୍ଗଳବାର ଭୋର୍ ମଧ୍ୟରେ ଦକ୍ଷିଣ ଆନ୍ଧ୍ର ଉପକୂଳରେ ମାଡ଼ ହେବ। ଯଦିଓ ଓଡ଼ିଶାରେ ବାତ୍ୟା ପ୍ରଭାବରେ ବିଶେଷ ଜୋର୍ ପବନ ବହିବନି, ତଥାପି ଭୀଷଣ ବର୍ଷିବ। ତୁହାକୁ ତୁହା ବର୍ଷା ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲାକୁ ବୁଡ଼ାଇପାରେ। ବନ୍ୟା ବିତ୍ପାତରେ ଲୋକେ ତ୍ରାହି ତ୍ରାହି ଡାକୁଥିବା ବେଳେ ପୁଣି ଥରେ ନୂଆ ବିପଦ ମାଡ଼ି ଆସୁଛି।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆକଳନ କହୁଛି, ଆନ୍ଧ୍ର ଉପକୂଳର ନେଲ୍ଲୋର ଓ ନରସାପୁର ମଝିରେ ‘ମୁରାସୁ’ ସ୍ଥଳଭାଗ ଅତିକ୍ରମ କରିବ। ଲ୍ୟାଣ୍ଡଫଲ ସମୟରେ ୧୦୦ରୁ ୧୧୦ କିମି ବେଗରେ ପବନ ବହିବ। ପବନର ଝଟକା ୧୨୦ କିମି ପର୍ଯ୍ୟନ୍ତ ଛୁଇଁପାରେ। ଲ୍ୟାଣ୍ଡଫଲ୍ ପରେ ଭୀଷଣ ବାତ୍ୟାର ତୀବ୍ରତା ଦୁର୍ବଳ ହୋଇ ବାତ୍ୟାକୁ ଖସିପାରେ। ବାତ୍ୟାର ବାହ୍ୟବଳୟ ମାଲକାନଗିରି ଓ କୋରାପୁଟ ଭିତରେ ଘଷି ହୋଇ ଯିବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ଅଛି।

ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଇଏମ୍ଡି ପୂର୍ବାନୁମାନ ଦେଇଛି। ସୋମବାର ଗଜପତି ଓ ଗଞ୍ଜାମ ଦୁଇଟି ଜିଲ୍ଲାରେ ପ୍ରବଳ ବର୍ଷିବ। ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ ଓ ଖୋର୍ଦ୍ଧାରେ ମଧ୍ୟ ଅଧିକ ବର୍ଷା ହୋଇପାରେ। ମଙ୍ଗଳବାର (୩ ତାରିଖ) ଓ ବୁଧବାର (୪ ତାରିଖ) ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଭୀଷଣ ବର୍ଷା ଆଶଙ୍କା ଅଛି। ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଅଞ୍ଚଳରେ ଦୁଇ ଦିନ ୫୦ରୁ ୬୦ କିମି ବେଗରେ ପବନ ବହିବା ସହ ଝଟକା ପବନ ଘଣ୍ଟାକୁ ୭୦ କିମି ଛୁଇଁପାରେ। ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ। ଭାରି ବର୍ଷା ଯୋଗୁ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଭୟ ରହିଛି। ଆମେରିକାର ଜଏଣ୍ଟ ଟାଇଫୁନ ୱାଣ୍ଡିଂ ସେଣ୍ଟର (ଜେଟିଡବଲୁସି ) ଆକଳନ ସତ ହେଲେ ସ୍ଥଳଭାଗରେ ପ୍ରବେଶ ବେଳେ ପବନ ବେଗ ୧୩୦ କିମି ରହିପାରେ, ଝଟକା ୧୪୮ କିମି ଛୁଇଁବା ଆଶଙ୍କା ରହିଛି। ।

Share In Social Media
Scroll to Top