
ରାଜଧାନୀରେ ଫୁଟିଲା ଗୁଳି । ପାର୍ବଣ ଋତୁରେ ଘାଟିକିଆ ଅଞ୍ଚଳରେ ଗୁଳିକାଣ୍ଡକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ଏକ ଫେସବୁକ୍ ଲାଇଭ୍କୁ କେନ୍ଦ୍ର କରି ଦୁଇ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହେବା ସହ ୨ ରାଉଣ୍ଡ ବ୍ଲାଙ୍କ ଫାୟାରିଂ ହୋଇଥିବା ସୂଚନା ମିଳିଛି । ମାଡ଼ପିଟ ଓ ମରଣାନ୍ତକ ଆକ୍ରମଣରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପୁଲିସ ସିସିଟିଭି ଯାଞ୍ଚ କରିବା ସହ ମାମଲାର ଛାନ୍ଭିନ୍ ଚଳାଇଛି । ସୂଚନା ଅନୁସାରେ, ଗତକାଲି ଜଣେ ଯୁବକ ଫେସବୁକ୍ ଲାଇଭ୍ କରି ଏକ ମାମଲା ସଂକ୍ରାନ୍ତରେ ଜାତିଆଣ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା । ପରେ ଉକ୍ତ ଭିଡିଓଟି ଭାଇରାଲ ହୋଇଥିଲା ।
ଏହାକୁ ନେଇ ଅପରପକ୍ଷ ଉତ୍ତ୍ୟକ୍ତ ହୋଇ ବିଳମ୍ବିତ ରାତିରେ ଘାଟିକିଆରେ ପହଞ୍ଚିଥିବା ଜଣାପଡ଼ିଛି।ସେହି ସମୟରେ ଘାଟିକିଆରେ ଗଣେଶ ପୂଜା ବିସର୍ଜନ ଚାଲିଥିବାରୁ ପେଣ୍ଡାଲ ନିକଟରେ ବହୁ ଯୁବକ ଉପସ୍ଥିତ ଥିଲେ ।ଫେସବୁକ୍ ଲାଇଭ୍କୁ କେନ୍ଦ୍ର କରି ଦୁଇ ପକ୍ଷ ମଧ୍ୟରେ ପ୍ରଥମେ ବଚସା ଏବଂ ପରେ ଗଣ୍ଡଗୋଳ ଓ ମାଡ଼ପିଟ ଆରମ୍ଭ ହୋଇଥିଲା । ବାହାରୁ ଆସିଥିବା କିଛି ବ୍ୟକ୍ତି ଦୁଇ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିବା ସହ କିଛି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ୫ ଜଣ ଗୁରୁତର ଆହତ ହୋଇଥିବାବେଳେ ସେମାନଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ଘଟଣା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳର ସିସିଟିଭି ଫୁଟେଜ୍ ଜବତ କରି ପୁଲିସ ଅଭିଯୁକ୍ତମାନଙ୍କୁ ଚିହ୍ନଟ ଓ ଧରିବା ପାଇଁ ଛାନଭିନ ଜାରି ରଖିଛି। ଘଟଣାକୁ ନେଇ ଘାଟିକିଆ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ସୂଚନା ମିଳିଛି।





