
ଆଖିକୁ ସୁନ୍ଦର କରିବା ପାଇଁ ଅନେକ ମହିଳା ଆଇସାଡୋ ବ୍ୟବହାର କରନ୍ତି। କିନ୍ତୁ ଏହାକୁ ଲଗାଇବା ସମୟରେ କିଛି ସାବଧାନତା ଅବଲମ୍ବନ ନକଲେ, ଆଖିର ଗମ୍ଭୀର କ୍ଷତି ହୋଇପାରେ।
ଆଜିକାଲି ମେକଅପ୍ ଦୁନିଆରେ ‘ଆଇ ମେକଅପ୍’କୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦିଆଯାଉଛି । ଆଖିକୁ ଆକର୍ଷଣୀୟ, ବଡ଼ ଏବଂ ସୁନ୍ଦର ଦେଖାଇବାରେ ‘ଆଇସାଡୋ’ର ପ୍ରମୁଖ ଭୂମିକା ରହିଥାଏ । ବଜାରରେ ବିଭିନ୍ନ ରଙ୍ଗ ଓ ଶୈଳୀର ଆଇସାଡୋ ଉପଲବ୍ଧ, ଯାହା ମହିଳାମାନଙ୍କୁ ସେମାନଙ୍କ ପସନ୍ଦ ଏବଂ ଆବଶ୍ୟକତା ଅନୁଯାୟୀ ବାଛିବାରେ ସାହାଯ୍ୟ କରିଥାଏ । ଆସନ୍ତୁ ଜାଣିବା ସେହିଭଳି କିଛି ଆଇସାଡୋ ସମ୍ପର୍କରେ ।
ଆଖିରେ କୁଣ୍ଡେଇ ହେବା ଓ ଜଳାପୋଡ଼ା :- ଆଇସାଡୋରେ ଥିବା ରାସାୟନିକ ପଦାର୍ଥ କିମ୍ବା ପାଉଡରର ଛୋଟ ଛୋଟ କଣିକାଗୁଡ଼ିକ ଆଖି ଭିତରକୁ ଚାଲିଗଲେ ଆଖି କାଟିବା, ନାଲି ପଡ଼ିବା ଓ ପାଣି ବାହାରିବା ଭଳି ସମସ୍ୟା ହୋଇଥାଏ। ବିଶେଷ କରି ଚମକୁଥିବା ବା ଗ୍ଲିଟର ଥିବା ଆଇସାଡୋ ଆଖି ପାଇଁ ଅଧିକ କ୍ଷତିକାରକ।
ଆଖି ସଂକ୍ରମଣ :- ଅତ୍ୟଧିକ ଏବଂ ପ୍ରତିଦିନ ଆଇସାଡୋ ଲଗାଇବା ଦ୍ୱାରା ଆଖିପତାରେ ଥିବା କ୍ଷୁଦ୍ର ତୈଳ ଗ୍ରନ୍ଥିଗୁଡ଼ିକ ବନ୍ଦ ହୋଇଯାଏ। ଏହାଦ୍ୱାରା ବ୍ୟାକ୍ଟେରିଆ ବଢ଼ିଥାନ୍ତି ଏବଂ ଆଖି ଅଞ୍ଜନହାରି ବା ଚକ୍ଷୁ ପ୍ରଦାହ ଭଳି ସଂକ୍ରମଣ ହେବାର ଆଶଙ୍କା ବହୁତ ବଢ଼ିଯାଏ।
ଆଲର୍ଜି :- କିଛି ଆଇସାଡୋରେ କୃତ୍ରିମ ରଙ୍ଗ ଓ ସୁଗନ୍ଧ ବ୍ୟବହାର କରାଯାଇଥାଏ। ଯଦି ଆପଣ ଅଧିକ ପରିମାଣରେ ଏହାକୁ ଲଗାଉଛନ୍ତି, ତେବେ ଆଖିପତା ଫୁଲିଯିବା ଏବଂ ରାସେସ୍ ବା ନାଲି ଦାଗ ହେବା ଭଳି ଆଲର୍ଜି ଦେଖାଦେଇପାରେ।
ଚର୍ମ ଶୁଷ୍କ ହେବା ଓ କୁଞ୍ଚନ ପଡ଼ିବା :- ଆଇସାଡୋ ପାଉଡର୍ ଆଖି ଆଖପାଖର ପ୍ରାକୃତିକ ଆର୍ଦ୍ରତା କୁ ଶୋଷିନିଏ, ଯାହାଫଳରେ ଚର୍ମ ଶୁଷ୍କ ହୋଇଯାଏ। ଏହା ସହିତ ମେକଅପ୍ ଛଡ଼ାଇବା ସମୟରେ ଆଖିକୁ ଜୋରରେ ରଗଡ଼ିବା ଦ୍ୱାରା ସେହି ସ୍ଥାନରେ ଅତି ଶୀଘ୍ର ଗାର ବା କୁଞ୍ଚନ ଦେଖାଯାଏ।
ରକ୍ଷା ପାଇବାର ସହଜ ଉପାୟ
ସୀମିତ ବ୍ୟବହାର କରନ୍ତୁ:- ଦୈନନ୍ଦିନ ବ୍ୟବହାରରେ ହାଲୁକା ଆଇସାଡୋ ଲଗାନ୍ତୁ ଏବଂ ଅଧିକ ଗ୍ଲିଟର ଥିବା ପ୍ରଡକ୍ଟ ବ୍ୟବହାର କରିବାଠାରୁ ଦୂରେଇ ରୁହନ୍ତୁ।
ମେକଅପ୍ ସଫା କରନ୍ତୁ:- ଶୋଇବା ପୂର୍ବରୁ ଆଖିରୁ ଆଇସାଡୋକୁ କୌଣସି ଭଲ ମେକଅପ୍ ରିମୁଭର ସାହାଯ୍ୟରେ ଭଲଭାବେ ସଫା କରନ୍ତୁ। ମେକଅପ୍ ନ ଛଡ଼ାଇ କେବେହେଲେ ଶୁଅନ୍ତୁ ନାହିଁ।
ବ୍ରଶ୍ ସଫା ରଖନ୍ତୁ:- ଆଇସାଡୋ ଲଗାଉଥିବା ବ୍ରଶ୍ କୁ ସପ୍ତାହରେ ଅତିକମରେ ଥରେ ସଫା କରନ୍ତୁ, ଯେପରି ସେଥିରେ ଜୀବାଣୁ ଜମିବେ ନାହିଁ।
ଅବଧି ଯାଞ୍ଚ କରନ୍ତୁ:- ସର୍ବଦା ଭଲ ବ୍ରାଣ୍ଡର ଆଇସାଡୋ ବ୍ୟବହାର କରନ୍ତୁ ଏବଂ ଏହାର ଏକ୍ସପାଏରୀ ଡେଟ୍ ନିଶ୍ଚିତ ଯାଞ୍ଚ କରନ୍ତୁ।





