odisha24 Live

Latest News

Latest News

ଏୟାର ଇଣ୍ଡିଆର ୮ ଜଣ କ୍ରୁ ସଦସ୍ୟ ନିଲମ୍ବିତ

ନୂଆଦିଲ୍ଲୀ : ବିମାନ ଅବତରଣ ପରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବାଧ୍ୟତାମୂଳକ ମଦ୍ୟପାନ ନିରୂପଣ ପରୀକ୍ଷା ବିଳମ୍ବ କରିବା ଅଭିଯୋଗରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ୮ ଜଣ କ୍ରିୟୁ ସଦସ୍ୟଙ୍କୁ ୩ ମାସ ପାଇଁ ନିଲମ୍ବିତ କରାଯାଇଛି । ଗତ ଅଗଷ୍ଟ ୨ ତାରିଖରେ ଦୁବାଇରୁ ଅମୃତସର ଆସିଥିବା ଏହି ବିମାନର କ୍ରିୟୁ ସଦସ୍ୟମାନେ ନିୟମାନୁସାରେ ୨ ଘଣ୍ଟା ମଧ୍ୟରେ ଏହି ପରୀକ୍ଷା କରାଇବା ବାଧ୍ୟତାମୂଳକ ଥିଲା । ମାତ୍ର ସେମାନେ ୨ ଘଣ୍ଟା ୩୫ ମିନିଟ୍ ପରେ ନିଜର ସ୍ୱୀକୃତିପତ୍ର ଦାଖଲ କରିଥିଲେ। ଏୟାରଲାଇନ୍ସ ପ୍ରଶାସନ ପକ୍ଷରୁ ଏହି ନିୟମ ଉଲ୍ଲଂଘନ ସମ୍ପର୍କରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ)କୁ ବିଧିବଦ୍ଧ ଭାବେ ଅବଗତ କରାଯିବା ସହ ଉକ୍ତ ସଦସ୍ୟମାନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ତେବେ ପରୀକ୍ଷା ରିପୋର୍ଟରେ ସମସ୍ତ କ୍ରିୟୁ ସଦସ୍ୟ ନେଗେଟିଭ୍ ଥିବା ସ୍ପଷ୍ଟ ହୋଇଛି।

ନିକଟରେ ଏୟାର ଇଣ୍ଡିଆର ଫୁକେଟ୍-ଦିଲ୍ଲୀ ବିମାନ ଉଡ଼ାଣ ସମୟରେ ହଠାତ୍ ୩୦୦ ଫୁଟ୍ ତଳକୁ ଖସିପଡ଼ିବା ଭଳି ଏକ ସଂବେଦନଶୀଳ ଘଟଣା ଘଟିଥିଲା, ଯେଉଁଥିରେ ପାଇଲଟଙ୍କର ମାରିଜୁଆନା (ଗଞ୍ଜେଇ) ପରୀକ୍ଷା ପୋଜିଟିଭ୍ ଆସିବା ପରେ ଆକାଶମାର୍ଗ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି) ତଦନ୍ତ ଚଳାଇଛି। ଏହି ଘଟଣା ପରଠାରୁ ବିମାନ କ୍ରିୟୁ ଓ ପାଇଲଟ୍ମାନଙ୍କର ନିଶାଦ୍ରବ୍ୟ ପରୀକ୍ଷା ପ୍ରକ୍ରିୟାକୁ ଅଧିକ କଡ଼ାକଡ଼ି କରାଯାଇଛି । ଏୟାର ଇଣ୍ଡିଆ ଗ୍ରୁପ୍ ପକ୍ଷରୁ ସମସ୍ତ ପାଇଲଟଙ୍କ ପାଇଁ ନିଶାଦ୍ରବ୍ୟ ପରୀକ୍ଷା ବାଧ୍ୟତାମୂଳକ କରାଯାଇଥିବା ବେଳେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ବାର୍ଷିକ ସମସ୍ତ ପାଇଲଟଙ୍କର ”ଡୋପ୍ ଟେଷ୍ଟ” ବାଧ୍ୟତାମୂଳକ କରିବା ପାଇଁ ନୂତନ ନୀତି ଆଣିବାକୁ ବିଚାର କରୁଛନ୍ତି।

Share In Social Media
Scroll to Top