odisha24 Live

Latest News

Latest News

ଛଟ୍ ପୂଜା ଉପଲକ୍ଷ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆରମ୍ଭ ହେଉଛି ଲୋକଆସ୍ଥାର ମହାପର୍ବ ଛଟ୍ ପୂଜା । ଚାରିଦିନ ଧରି ଚାଲିବ ଏହି ମହାନ ଧାର୍ମିକ ଅନୁଷ୍ଠାନ। ପ୍ରଥମ ଦିନରେ ନହାୟ-ଖାୟ ସହ ବ୍ରତ ଆରମ୍ଭ କରିଛନ୍ତି ବ୍ରତଧାରୀ । ଛଟ୍ ପୂଜାକୁ ନେଇ ଘାଟଠାରୁ ବଜାର ପର୍ଯ୍ୟନ୍ତ ସବୁଠି ଉତ୍ସବର ମାହୋଲ । ଏପଟେ ଛଟ୍ ମହାପର୍ବ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଲୋକଆସ୍ଥା ଓ ସୂର୍ଯ୍ୟ ଉପାସନାର ମହାପର୍ବ ଛଟ୍ ପୂଜା ଆରମ୍ଭ। ଆଜି ଶୁକ୍ରବାରଠାରୁ ଚାରିଦିନିଆ ଏହି ମହାପର୍ବର ଶୁଭାରମ୍ଭ ହୋଇଛି। ପ୍ରଥମ ଦିନରେ ନହାୟ-ଖାୟ ସହ ବ୍ରତ ଆରମ୍ଭ କରିଛନ୍ତି ବ୍ରତଧାରୀ। ଶନିବାର ଦିନ ଉପବାସ ରହି ଖର୍ଣ୍ଣାର ପ୍ରସାଦ ଗ୍ରହଣ କରିବେ ବ୍ରତଧାରୀ। ରବିବାର ଦିନ ଅସ୍ତଗାମୀ ସୂର୍ଯ୍ୟଙ୍କୁ ପ୍ରଥମ ଅର୍ଘ୍ୟ ଅର୍ପଣ କରାଯିବ। ସେହିପରି ସୋମବାର ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ ସହ ଶେଷ ହେବ ଏହି ମହାପର୍ବ। ଛଟ୍ ପୂଜା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶୁକ୍ରବାର ନିଜର ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରି ସେ କହିଛନ୍ତି, ଲୋକଆସ୍ଥା ଓ ସୂର୍ଯ୍ୟ ଉପାସନାର ଚାରିଦିନିଆ ପବିତ୍ର ଅନୁଷ୍ଠାନ ଛଟ୍ ମହାପର୍ବର ଶୁଭାରମ୍ଭ ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଆଜି ନହାୟ-ଖାୟ। ସମସ୍ତ ବ୍ରତଧାରୀଙ୍କୁ ମୋର ପ୍ରଣାମ। ଛଟୀ ମା’ଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହୁ ବୋଲି ସେ କାମନା କରିଛନ୍ତି ।

ଅନ୍ୟପଟେ ଛଟ୍ ପୂଜାକୁ ନେଇ ସାରା ଦେଶରେ ପ୍ରସ୍ତୁତି ଜୋରଦାର ହୋଇଛି । ବିହାର ସମେତ ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ନଦୀକୂଳ ଘାଟଗୁଡ଼ିକୁ ସଜାଯାଇଛି । ଘାଟଗୁଡ଼ିକର ସଫେଇ, ରଙ୍ଗ ଓ ରଙ୍ଗୀନ ଆଲୋକରେ ସଜ୍ଜା କାର୍ଯ୍ୟ ଚାଲିଛି । ମହାରାଷ୍ଟ୍ରରେ ମଧ୍ୟ ଛଟ୍ ପୂଜା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ତେବେ ମହାରାଷ୍ଟ୍ରରେ ଛଟ୍ ପୂଜାକୁ ନେଇ ରାଜନୈତିକ ବିବାଦ ମଧ୍ୟ ଦେଖାଦେଇଛି । ମୁମ୍ବାଇର ରେଳ ଷ୍ଟେସନଗୁଡ଼ିକରେ ଛଟ୍ ଗୀତ ବଜାଇବା ଏବଂ ଜୁହୁ ବିଚ୍‌ରେ ଛଟ୍ ପୂଜା ଆୟୋଜନକୁ ନେଇ ବିରୋଧ କରିଛନ୍ତି ବିରୋଧୀ ଦଳ। ଉଦ୍ଧବ ଠାକରେଙ୍କ ଶିବସେନା ଏବଂ ଏମ୍‌ଏନ୍‌ଏସ୍‌ ପକ୍ଷରୁ ଏହାକୁ ବିରୋଧ କରାଯିବା ସହ ଆନ୍ଦୋଳନର ଚେତାବନୀ ଦିଆଯାଇଛି । ଏହାରି ମଧ୍ୟରେ ରେଳ ପ୍ରଶାସନ କହିଛି ଯେ, ରେଳ ବୋର୍ଡର ନିର୍ଦ୍ଦେଶ ଅନୁସାରେ ଛଟ୍ ପୂଜା ଅବସରରେ ଉତ୍ତର ଭାରତୀୟ ଯାତ୍ରୀଙ୍କ ସୁବିଧା ପାଇଁ ଲାଉଡ୍‌ସ୍ପିକର୍‌ ମାଧ୍ୟମରେ ଘୋଷଣା କରାଯାଉଛି । ସିଏସ୍‌ଏମ୍‌ଟି ଓ ଲୋକମାନ୍ୟ ତିଲକ ଟର୍ମିନସ୍‌କୁ ଯାଉଥିବା ଯାତ୍ରୀଙ୍କୁ ସୂଚନା ଦେବା ପାଇଁ ମଝିରେ ମଝିରେ ଛଟ୍ ଗୀତ ମଧ୍ୟ ବଜାଯାଉଛି । ଛଟ୍ ପୂଜା ପାଇଁ ଘାଟଗୁଡ଼ିକର ସଫେଇ ଓ ସାଜସଜ୍ଜା କାର୍ଯ୍ୟ ଜୋରସୋରରେ ଚାଲିଛି । ବଜାରରେ ମଧ୍ୟ ପୂଜା ସାମଗ୍ରୀ କିଣିବା ପାଇଁ ଲୋକଙ୍କ ଭିଡ଼ ଜମୁଛି । ଛଟ୍ ପାଳନ ପାଇଁ ଲୋକେ ନିଜ ନିଜ ଘରକୁ ଫେରୁଥିବାରୁ ବିଭିନ୍ନ ରେଳ ଷ୍ଟେସନରେ ଯାତ୍ରୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । ଯାତ୍ରୀଙ୍କ ବର୍ଦ୍ଧିତ ଭିଡ଼କୁ ଦୃଷ୍ଟିରେ ରଖି ରେଳ ବିଭାଗ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

Share In Social Media
Scroll to Top