
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ ଅଧିକ ଘନୀଭୂତ ହୋଇ ଏକ ଅତିଭୀଷଣ ବାତ୍ୟାର ରୂପ ନେଇଛି। ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ଗତି କରୁଥିବା ଏହି ବାତ୍ୟା ଆସନ୍ତା ଅକ୍ଟୋବର ୨୮ ତାରିଖ ପୂର୍ବାହ୍ନରେ ବିଶାଖାପାଟଣା ନିକଟରେ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି। ଏହା ପ୍ରଭାବରେ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ତେଲେଙ୍ଗାନା, ଛତିଶଗଡ଼ ଏବଂ ପୁଡୁଚେରୀକୁ ସତର୍କ କରାଯାଇଥିବାବେଳେ ଦକ୍ଷିଣ ଓଡ଼ିଶା ପାଇଁ ‘ରେଡ୍ ଆଲର୍ଟ’ ଜାରି କରାଯାଇଛି।
ଟ୍ରେନ୍ ଚଳାଚଳ ପ୍ରଭାବିତ ଓ ବାତିଲ୍: ବାତ୍ୟାକୁ ଦୃଷ୍ଟିରେ ରଖି ଯାତ୍ରୀମାନଙ୍କ ସୁରକ୍ଷା ଓ ସତର୍କତା ନିମନ୍ତେ ପୂର୍ବତଟ ରେଳପଥ ଏବଂ ଅନ୍ୟାନ୍ୟ ଜୋନ୍ ପକ୍ଷରୁ ଏକାଧିକ ଟ୍ରେନ୍ ବାତିଲ୍ କରାଯାଇଛି। ଅକ୍ଟୋବର ୨୯ ରୁ ନଭେମ୍ବର ୪ ତାରିଖ ମଧ୍ୟରେ ଚଳାଚଳ କରିବାକୁ ଥିବା କିଛି ପ୍ରମୁଖ ଟ୍ରେନ୍ର ସେବା ସ୍ଥଗିତ ରଖାଯାଇଛି ।
ଏହା ବ୍ୟତୀତ ପ୍ରଥମ ପର୍ଯ୍ୟାୟରେ ୫୩ଟି ଟ୍ରେନ୍ ମଧ୍ୟ ପ୍ରଭାବିତ ହୋଇଛି। ଯାତ୍ରୀମାନଙ୍କୁ ଯାତ୍ରା କରିବା ପୂର୍ବରୁ ଟ୍ରେନର ସ୍ଥିତି ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି।
ଶିକ୍ଷାନୁଷ୍ଠାନ ଛୁଟି ଏବଂ ପ୍ରଶାସନିକ ପ୍ରସ୍ତୁତି: ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ନଜରରେ ରଖି ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସ୍କୁଲ ଓ କଲେଜଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାରେ ଅକ୍ଟୋବର ୨୭ ଓ ୨୮ ତାରିଖରେ ସ୍କୁଲ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ।
ସେହିପରି କୋରାପୁଟ, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଅକ୍ଟୋବର ୨୭ ରୁ ୨୯ ତାରିଖ ପର୍ଯ୍ୟନ୍ତ ତିନି ଦିନ ପାଇଁ ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହାସହ ସ୍ୱାସ୍ଥ୍ୟସେବା ସମେତ ସମସ୍ତ ଜରୁରୀକାଳୀନ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
କେନ୍ଦ୍ର ସରକାରଙ୍କ ପକ୍ଷରୁ କ୍ୟାବିନେଟ୍ ସଚିବଙ୍କ ଅଧ୍ୟକ୍ଷତାରେ NCMC ର ବୈଠକ ଅନୁଷ୍ଠିତ ହୋଇଯାଇଛି। NDRF, SDRF ସମେତ ସେନା, ନୌସେନା, ବାୟୁସେନା ଏବଂ ତଟରକ୍ଷକ ବାହିନୀକୁ ପ୍ରସ୍ତୁତ ରଖାଯାଇଛି।
ଗଣମାଧ୍ୟମ ଏବଂ ଡିଜିଟାଲ୍ ପ୍ଲାଟଫର୍ମ ପାଇଁ ଏସଆରସିଙ୍କ ପରାମର୍ଶ: SRCଙ୍କ କାର୍ଯ୍ୟାଳୟ ପକ୍ଷରୁ ଗଣମାଧ୍ୟମ ସଂସ୍ଥା, ଡିଜିଟାଲ୍ କଣ୍ଟେଣ୍ଟ କ୍ରିଏଟର୍ସ ଏବଂ ସୋସିଆଲ୍ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ବିନା ବୈଜ୍ଞାନିକ ପ୍ରମାଣ କିମ୍ବା ଆନୁଷ୍ଠାନିକ ଭାବେ IMD ଦ୍ୱାରା ଜାରି ହୋଇନଥିବା ଭୁଆଁ ବୁଲାଉଥିବା, ମିଥ୍ୟା କିମ୍ବା ସନସେସନାଲ୍ ଖବର ପ୍ରସାରଣ ନକେରିବାକୁ କୁହାଯାଇଛି।





