
ଚେନ୍ନାଇ :ସାଉଥ ସୁପରଷ୍ଟାର ପ୍ରଭାସ ୪୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଅକ୍ଟୋବର ୨୩ ତାରିଖ ଅର୍ଥାତ୍ ଆଜି ତାଙ୍କ ଜନ୍ମଦିନ ।
ନିଜର ଦମ୍ଦାର ଅଭିନୟ ଓ ବ୍ଲକବଷ୍ଟର ଫିଲ୍ମ ପାଇଁ ସେ କେବଳ ଦକ୍ଷିଣ ଭାରତରେ ନୁହେଁ, ବରଂ ସାରା ଦେଶରେ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି । ତେବେ ତାଙ୍କ ଫିଲ୍ମ କ୍ୟାରିୟର ଯେତିକି ଚର୍ଚ୍ଚାରେ ରହିଛି, ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ସେତିକି ଆଲୋଚନାର ବିଷୟ । ବିଶେଷ କରି ତାଙ୍କ ବିବାହକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ରହିଛି ଅନେକ ଉତ୍ସକତା ।
ପ୍ରଭାସଙ୍କ ଜନ୍ମ ୨୩ ଅକ୍ଟୋବର ୧୯୭୯ରେ ଚେନ୍ନାଇରେ ହୋଇଥିଲା । ତାଙ୍କର ପୂରା ନାମ ହେଉଛି ଉପ୍ପଲାପତି ଭେଙ୍କଟ ସୂର୍ଯ୍ୟନାରାୟଣ ପ୍ରଭାସ ରାଜୁ । ଏକ ଫିଲ୍ମ ପରିବାରରେ ଜନ୍ମ ହୋଇଥିବା ପ୍ରଭାସଙ୍କ ପିତା ସୂର୍ଯ୍ୟ ନାରାୟଣ ରାଜୁ ଜଣେ ଫିଲ୍ମ ପ୍ରଯୋଜକ ଥିବା ବେଳେ ତାଙ୍କ କାକା କୃଷ୍ଣମ ରାଜୁ ମଧ୍ୟ ଜଣେ ପ୍ରସିଦ୍ଧ ଅଭିନେତା ଥିଲେ । ଖାସ୍ କଥା ହେଉଛି, ପ୍ରଭାସ ଆରମ୍ଭରୁ ଅଭିନେତା ହେବାକୁ ଚାହୁଁନଥିଲେ । ସେ ହୋଟେଲ୍ ଶିଳ୍ପରେ କ୍ୟାରିୟର କରିବାକୁ ଆଗ୍ରହୀ ଥିଲେ । ଏପରିକି କ୍ୟାମେରା ସାମ୍ନାରେ ଠିଆ ହେବା ଏବଂ ଲୋକଙ୍କ ସହ ମିଶିବାରେ ମଧ୍ୟ ସେ ଆରମ୍ଭରୁ ସେତେଟା ସ୍ୱଚ୍ଛନ୍ଦ ନଥିଲେ । କିନ୍ତୁ ଭାଗ୍ୟ ତାଙ୍କୁ ସିନେମା ଜଗତକୁ ଆଣିଥିଲା । ୨୦୦୨ରେ ତେଲୁଗୁ ଫିଲ୍ମ ‘ଈଶ୍ୱର’ ଜରିଆରେ ପ୍ରଭାସ ଅଭିନୟ ଜଗତରେ ପାଦ ଥାପିଥିଲେ । ଏହାପରେ ‘ବର୍ଷମ୍’, ‘ଛତ୍ରପତି’, ‘ବିଲ୍ଲା’, ‘ଡାର୍ଲିଂ’, ‘ମିଷ୍ଟର ପରଫେକ୍ଟ’ ଏବଂ ‘ମିର୍ଚି’ ଭଳି ଫିଲ୍ମ ତାଙ୍କୁ ତେଲୁଗୁ ଦର୍ଶକଙ୍କ ମଧ୍ୟରେ ଲୋକପ୍ରିୟ କରିଥିଲା । କିନ୍ତୁ ତାଙ୍କ ଜୀବନରେ ସବୁଠାରୁ ବଡ଼ ମୋଡ଼ ଆଣିଥିଲା ଏସ୍ଏସ୍ ରାଜମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ବାହୁବଳୀ’ ।
୨୦୧୫ରେ ରିଲିଜ୍ ହୋଇଥିବା ‘ବାହୁବଳୀ: ଦ ବିଗିନିଂ’ ବକ୍ସ ଅଫିସ୍ରେ ବଡ଼ ସଫଳତା ହାସଲ କରିଥିଲା । ଏହାପରେ ୨୦୧୭ରେ ରିଲିଜ୍ ହୋଇଥିବା ‘ବାହୁବଳୀ ୨: ଦ କନକ୍ଲୁଜନ୍’ ମଧ୍ୟ ଅନେକ ରେକର୍ଡ ଭାଙ୍ଗିଥିଲା । ଏହି ଦୁଇଟି ଫିଲ୍ମ ପ୍ରଭାସଙ୍କୁ ରାତାରାତି ଦେଶବ୍ୟାପୀ ଷ୍ଟାର୍ଡମ୍ ଦେଇଥିଲା । ଏହି ଫ୍ରାଞ୍ଚାଇଜ୍ ପାଇଁ ସେ ପ୍ରାୟ ପାଞ୍ଚ ବର୍ଷ ସମୟ ଦେଇଥିବା ସହ ୬୦୦ ଦିନରୁ ଅଧିକ ସମୟ ସୁଟିଂ କରିଥିବା କୁହାଯାଏ । ‘ବାହୁବଳୀ’ ର ଅପାର ସଫଳତା ପରେ ପ୍ରଭାସଙ୍କ ଲୋକପ୍ରିୟତା ଏତେ ବଢ଼ିଯାଇଥିଲା ଯେ ତାଙ୍କୁ ୬ ହଜାରରୁ ଅଧିକ ବିବାହ ପ୍ରସ୍ତାବ ମିଳିଥିବା ଖବର ସାମ୍ନାକୁ ଆସିଥିଲା । ତେବେ ଏହି ସବୁ ପ୍ରସ୍ତାବକୁ ସେ ପ୍ରତ୍ୟାଖ୍ୟାନ କରିଥିବା କୁହାଯାଏ । ଏତେ ସଫଳତା ଓ ପ୍ରଶଂସକଙ୍କ ଭଲପାଇବା ସତ୍ତ୍ୱେ ପ୍ରଭାସ ଏବେ ମଧ୍ୟ ଅବିବାହିତ ଅଛନ୍ତି ।
ଅନ୍ୟପଟେ, ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀଙ୍କ ସହ ପ୍ରଭାସଙ୍କ ସମ୍ପର୍କକୁ ନେଇ ମଧ୍ୟ ଅନେକ ଥର ଚର୍ଚ୍ଚା ହୋଇଛି । ‘ବିଲ୍ଲା’, ‘ମିର୍ଚି’ ଏବଂ ‘ବାହୁବଳୀ’ ଭଳି ଫିଲ୍ମରେ ଏହି ଦୁଇ ଷ୍ଟାର୍ଙ୍କ ଯୋଡ଼ିକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ । ଏକାଠି କାମ କରିବା ପରେ ସେମାନେ ପରସ୍ପରକୁ ଡେଟ୍ କରୁଥିବା ଗୁଜବ ମଧ୍ୟ ଉଠିଥିଲା । ହେଲେ ପ୍ରଭାସ ଏହି ଖବରକୁ ଖଣ୍ଡନ କରିଥିଲେ । ସିନେମା ଜଗତରେ ନିଜର ଦମ୍ଦାର ଅଭିନୟ, ନିଷ୍ଠା ଓ ପରିଶ୍ରମ ପାଇଁ ପରିଚିତ ପ୍ରଭାସ ଆଜି ଜଣେ ପ୍ୟାନ୍ ଇଣ୍ଡିଆ ଷ୍ଟାର୍ । ତାଙ୍କ ଜନ୍ମଦିନରେ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଉଥିବା ବେଳେ, ସେ କେବେ ବିବାହ କରିବେ ତାହା ଜାଣିବାକୁ ମଧ୍ୟ ସମସ୍ତେ ଉତ୍ସୁକ ଅଛନ୍ତି ।





