odisha24 Live

Latest News

Latest News

ସଙ୍ଗୀତ ଦୁନିଆରେ ପାଦ ଥାପିଲେ ସୋନୁ ନିଗମଙ୍କ ପୁଅ

ମୁମ୍ବାଇ : ପ୍ରଶଂସକଙ୍କ ସହ ଖୁସି ଖବର ବାଣ୍ଟିଛନ୍ତି ବଲିଉଡ୍‌ର ଲୋକପ୍ରିୟ ଗାୟକ ସୋନୁ ନିଗମ। ତାଙ୍କ ୧୯ ବର୍ଷୀୟ ପୁଅ ନିଭାନ ନିଗମ ସଙ୍ଗୀତ ଦୁନିଆରେ ନିଜର ଯାତ୍ରା ଆରମ୍ଭ କରିଛନ୍ତି। ନିଭାନ ନିଜର ପ୍ରଥମ ସର୍ଟ ଫିଲ୍ମ ‘ସ୍ଲାଇଡ’ (SLIDE) ଜରିଆରେ ମ୍ୟୁଜିକ ଡେବ୍ୟୁ କରିଛନ୍ତି। ଏହି ଫିଲ୍ମରେ ସେ ସଙ୍ଗୀତ ଦେଇଛନ୍ତି। ପୁଅର ଏହି ସଫଳତାରେ ସୋନୁ ନିଗମ ବେଶ ଖୁସି ଅଛନ୍ତି। ସୋନୁ ନିଜ ପତ୍ନୀ ମଧୁରିମାଙ୍କ ସହ ଏକ ଯୁଗ୍ମ ସୋସିଆଲ ମିଡିଆ ପୋଷ୍ଟ ଶେୟାର କରି ଏହି ଖୁସି ଖବର ଦେଇଛନ୍ତି। ଏଥିସହ ପୁଅର ପିଲାଦିନରୁ ଆଜି ପର୍ଯ୍ୟନ୍ତ ତାଙ୍କ ମଧ୍ୟରେ ଆସିଥିବା ପରିବର୍ତ୍ତନ ଏବଂ ସଙ୍ଗୀତ ପାଇଁ କରିଥିବା ପରିଶ୍ରମର କାହାଣୀ ମଧ୍ୟ ବଖାଣିଛନ୍ତି।

ନିଜ ପୋଷ୍ଟରେ ସୋନୁ କେବଳ ପୁଅର ନୂଆ ପ୍ରୋଜେକ୍ଟ ବିଷୟରେ କହିନାହାନ୍ତି, ବରଂ ନିଭାନଙ୍କ ଶାରୀରିକ ପରିବର୍ତ୍ତନ, ଟ୍ରେନିଂ ଏବଂ ସଙ୍ଗୀତ ଓ ନୃତ୍ୟ ଦକ୍ଷତାରେ ଉନ୍ନତି ଆଣିବା ପାଇଁ କରିଥିବା କଠିନ ପରିଶ୍ରମ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଏଥିସହ ନିଭାନଙ୍କ ପିଲାଦିନର କିଛି ପରିବେଷଣର ଝଲକ ମଧ୍ୟ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ସେତେବେଳେ ନିଭାନଙ୍କୁ ମାତ୍ର ୪ ବର୍ଷ ବୟସ ହୋଇଥିଲା।

ପୁଅର ଆତ୍ମବିଶ୍ୱାସରେ ଆସିଥିବା ପରିବର୍ତ୍ତନକୁ ନେଇ ମଧ୍ୟ ସୋନୁ ଭାବପ୍ରବଣ ହୋଇଛନ୍ତି। ଏକଦା ବାପାଙ୍କ ସାମ୍ନାରେ ଗୀତ ଗାଇବାକୁ ଲାଜ କରୁଥିବା ନିଭାନ ଏବେ ଭୋକାଲ କୋଚଙ୍କ ସହ ଅଭ୍ୟାସ କରୁଛନ୍ତି। ତାଙ୍କ ପ୍ରସ୍ତୁତିରେ ଡ୍ୟାନ୍ସ ରିହର୍ସାଲ ଏବଂ ଫିଟ୍‌ନେସ ରୁଟିନ ମଧ୍ୟ ସାମିଲ ରହିଛି। ଏପରିକି ଭୋକାଲ କୋଚଙ୍କ ଦ୍ୱାରା ଶିଖାଯାଇଥିବା ଅଭ୍ୟାସକୁ ସେ ଦିନକୁ ୧୬ ଘଣ୍ଟା ପର୍ଯ୍ୟନ୍ତ କରୁଥିବା ସୋନୁ କହିଛନ୍ତି। ପ୍ରସିଦ୍ଧ ସଙ୍ଗୀତକାର ‘ପୁ ବିୟର୍‌’ (Poo Bear)ଙ୍କ ସହ ଷ୍ଟୁଡିଓରେ ଗୋଟିଏ ଟେକ୍‌ରେ ଚମତ୍କାର ରେକର୍ଡିଂ କରୁଛି।

ସୋନୁ ନିଜ ପୋଷ୍ଟରେ ଲେଖିଛନ୍ତି, ଦୀପାବଳିର ଏହି ପବିତ୍ର ଓ ଶୁଭ ଅବସରରେ ନିଭାନ ସଙ୍ଗୀତ ଦୁନିଆରେ ନିଜର ଯାତ୍ରା ଆରମ୍ଭ କରୁଛନ୍ତି। ନିଜ ଜେଜେବାପା ଏବଂ ବାପାଙ୍କଠାରୁ ଭିନ୍ନ ଏକ ରାସ୍ତା ବାଛି ନିଭାନ ନିଜର ସ୍ବତନ୍ତ୍ର ପରିଚୟ ତିଆରି କରିବାକୁ ଆଗେଇ ଆସିଛନ୍ତି। ଏକ ଗୋଲୁମୋଲୁ ପିଲାରୁ ଆଜି ସେ ଜଣେ ଯୁବକରେ ପରିଣତ ହୋଇଛନ୍ତି। ଯେଉଁ ପିଲା ଦିନେ ନିଜ ବାପାଙ୍କ ସାମ୍ନାରେ ଗୀତ ଗାଇବାକୁ ଲାଜ କରୁଥିଲା, ଆଜି ସେହି ନିଭାନ ଭୋକାଲ କୋଚ୍ଙ୍କ ଦ୍ୱାରା ଶିଖାଯାଇଥିବା ଅଭ୍ୟାସକୁ ଦିନକୁ ୧୬ ଘଣ୍ଟା ଅଭ୍ୟାସ କରୁଛି।

ସୋନୁ ଆହୁରି ଲେଖିଛନ୍ତି, ଯେଉଁ ପିଲା ଦିନେ ମାତ୍ର ୩ ମିନିଟ ଜଗିଂ କଲେ ଥକି ପଡୁଥିଲା, ଆଜି ସେ ନିଜ ଦକ୍ଷତାକୁ ଆହୁରି ଶାଣିତ କରିବା ପାଇଁ ଘଣ୍ଟା ଘଣ୍ଟା ଧରି ଡ୍ୟାନ୍ସ ଅଭ୍ୟାସ କରୁଛି। ନିଭାନ ଆମ ପରିବାରକୁ ବହୁତ ଖୁସି ଓ କୃତଜ୍ଞତାରେ ଭରିଦେଇଛନ୍ତି। ଯଦିଓ ମୁଁ ‘ଗର୍ବ’ ବା ‘ପ୍ରାଉଡ’ ଭଳି ଶବ୍ଦ ବ୍ୟବହାର କରିବାକୁ ପସନ୍ଦ କରେନାହିଁ।

୪ ବର୍ଷ ବୟସରେ ଷ୍ଟୁଡିଓରେ ‘କୋଲାଭେରି ଡି’ ଗାଇବାଠାରୁ ଆରମ୍ଭ କରି ସାଢ଼େ ୪ ବର୍ଷ ବୟସରେ ମଞ୍ଚ ଉପରେ ‘ଅଭି ମୁଝମେ କହିଁ’ ଗାଇବା ପର୍ଯ୍ୟନ୍ତ ନିଭାନକୁ ଆପଣମାନଙ୍କଠାରୁ ଯେଉଁ ଭଲପାଇବା ମିଳିଛି, ସେଥିପାଇଁ ସେ ପ୍ରକୃତରେ ଭାଗ୍ୟବାନ। ତାଙ୍କ ଆଗାମୀ ଯାତ୍ରା ଗରିମା, କଠିନ ପରିଶ୍ରମ, ଉତ୍ସାହ ଏବଂ ନମ୍ରତାର ସହ ଜାରି ରହୁ ବୋଲି ତାଙ୍କୁ ଆଶୀର୍ବାଦ କରନ୍ତୁ। ତାଙ୍କ ଉପରେ ଏମିତି ଭଲପାଇବା ବଜାୟ ରଖନ୍ତୁ। ଆପଣମାନଙ୍କ ପାଇଁ ନିଭାନ ନିଗମଙ୍କ ଗୀତ ‘ସ୍ଲାଇଡ’।

କିଛି ଦିନ ପୂର୍ବରୁ ସୋନୁ ନିଗମଙ୍କର ଏକ ସର୍ଜରୀ ହୋଇଥିଲା। ଏହି ସମୟରେ ଅପରେଶନ ଥିଏଟରରେ ସେ ମହମ୍ମଦ ରଫିଙ୍କ ପ୍ରସିଦ୍ଧ ଗୀତ ‘ସୁହାନି ରାତ୍‌ ଢଲ ଚୁକି’ ଗାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଅସୁବିଧା ଓ ଯନ୍ତ୍ରଣା ସତ୍ତ୍ୱେ ସେ ଗୀତ ଗାଇବା ଜାରି ରଖିଥିଲେ।

Share In Social Media
Scroll to Top