
ମୁମ୍ବାଇ : ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଏବଂ ପ୍ରସିଦ୍ଧ ନିର୍ଦ୍ଦେଶକ ଅଟଲିଙ୍କ ଆଗାମୀ ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ‘ରାକା’ରିଲିଜ୍ ପୂର୍ବରୁ ଏକ ବିଶ୍ୱ ରେକର୍ଡ କରି ଇତିହାସ ରଚିଛି। ଏହି ଚଳଚ୍ଚିତ୍ରଟି ନିଜର ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ପାଇଁ ସୁପ୍ରସିଦ୍ଧ ଗିନିଜ୍ ୱାଲର୍ଡ ରେକର୍ଡ ରେ ସ୍ଥାନ ପାଇଛି।
‘ରାକା’ ଏକାସାଙ୍ଗରେ ୩୭ ଜଣ କଳାକାରଙ୍କ ରିଅଲ-ଟାଇମ ମୋସନ-କ୍ୟାପଚର୍ ବ୍ୟବହାର କରି ଗିନିଜ ୱାଲର୍ଡ ରେକର୍ଡରେ ଏଣ୍ଟ୍ରି କରିଛି। ଏହି ଉପଲବ୍ଧି ଭାରତୀୟ ସିନେମା ପାଇଁ ଏକ ବଡ଼ ମାଇଲଖୁଣ୍ଟ ବୋଲି କୁହାଯାଉଛି।
ଅଲ୍ଲୁ ଅର୍ଜୁନ ଓ ନିର୍ଦ୍ଦେଶକ ଏଟଲିଙ୍କ ଏହି ଆଗାମୀ ଫିଲ୍ମକୁ ସନ ପିକ୍ଚର୍ସ ବ୍ୟାନରେ ନିର୍ମାଣ କରାଯାଉଛି। ସୋମବାର, ୨୧ ସେପ୍ଟେମ୍ବରରେ ସନ ପିକ୍ଚର୍ସ ନିଜର ଏକ୍ସ ହ୍ୟାଣ୍ଡେଲରେ ଏହି ବଡ଼ ଖବର ଶେସୟାର କରିଛି।
କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହା ଭାରତୀୟ ସିନେମାକୁ ଗ୍ଲୋବାଲ ଷ୍ଟେଜରେ ନୂଆ ପରିଚୟ ଦେବା ଭଳି ଏକ ଐତିହାସିକ ଉପଲବ୍ଧି। ‘ରାକା’ ରିଅଲ-ଟାଇମରେ ସର୍ବାଧିକ ୩୭ ଜଣ କଳାକାରଙ୍କ ମୋସନ-କ୍ୟାପଚର୍ କରି ଏହି ରେକର୍ଡ ହାସଲ କରିଛି।
ଏହି ଐତିହାସିକ ଉପଲବ୍ଧି ପାଇଁ ଅଲ୍ଲୁ ଅର୍ଜୁନ ଓ ଏଟଲିଙ୍କୁ ଗିନିଜ ୱାଲର୍ଡ ରେକର୍ଡସର ସାର୍ଟିଫିକେଟ ପ୍ରଦାନ କରାଯାଇଛି। ଏହି ବିଶେଷ କାର୍ଯ୍ୟକ୍ରମରେ ଗିନିଜ ୱାଲର୍ଡ ରେକର୍ଡସର ସିନିୟର ଆଡଜୁଡିକେଟର୍ ସ୍ବପ୍ନିଲ ଡାଙ୍ଗରିକର ଉଭୟଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ।
ସୂଚନା ଅନୁସାରେ, ‘ରାକା’ ଏହି ଉପଲବ୍ଧି ଫେବୃଆରୀ ୨୦୨୬ରେ ହାସଲ କରିଥିଲା। ତେବେ ଏହାର ଅଫିସିଆଲ ସାର୍ଟିଫିକେଟ ୧୫ ସେପ୍ଟେମ୍ବର ୨୦୨୬ରେ ପ୍ରଦାନ କରାଯାଇଥିଲା।
ଫିଲ୍ମ ‘ରାକା’ ଗିନିଜ ୱାଲର୍ଡ ରେକର୍ଡରେ ସାମିଲ ହେବା ପରେ ଅଲ୍ଲୁ ଅର୍ଜୁନ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ଏହି ଅସାଧାରଣ ଉପଲବ୍ଧି ପାଇଁ ସେମାନେ ଗର୍ବିତ।





