
ଭୁବନେଶ୍ୱର : ଆଣ୍ଡାମାନ ସାଗରରେ ସୃଷ୍ଟିହେଲା ଲଘୁଚାପ। ଉତ୍ତର ଆଣ୍ଡାମାନ ସାଗର ଓ ତାର ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ରର ରୂପ ନେଇଛି ଘୂର୍ଣ୍ଣିବଳୟ। ଗତକାଲି ସନ୍ଧ୍ୟାରେ ଲଘୁଚାପ ସୃଷ୍ଟି ହୋଇଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଲଘୁଚାପ ପଶ୍ଚିମ ଉତ୍ତରପଶ୍ଚିମ ଦିଗରେ ଗତି କରି ଆହୁରି ଘନୀଭୂତ ହେବ।
୨୧ରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଅବପାତରେ ପରିଣତ ହେବ। ପରେ ୨୨ରେ ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତ ହେବା ସମ୍ଭାବନା ରହିଛି। ବାତ୍ୟା ନେଇ ଏଯାଏଁ କୌଣସି ସ୍ପଷ୍ଟ ଆକଳନ କରାଯାଇନଥିବାବେଳେ ୨୨ରୁ ୨୫ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।
ବିଶେଷକରି ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ କରିଛି ପାଣିପାଗ ବିଭାଗ। ଆଜି ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ଓ ୧୨ ଜିଲ୍ଲାକୁ ଜାରି ହୋଇଛି ୟେଲ୍ଲୋ ୱାର୍ଣ୍ଣିଂ।





