
ଭୁବନେଶ୍ୱର : ନୂଆଦିଲ୍ଲୀରେ ଆୟୋଜିତ ସେମିକନ୍ ଇଣ୍ଡିଆ ୨୦୨୬ ସମ୍ମିଳନୀରେ ଓଡ଼ିଶାକୁ ଏକ ବଡ଼ ସଫଳତା ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ହୋଇଥିବା ବିଭିନ୍ନ ବିଶ୍ୱସ୍ତରୀୟ ଏବଂ ଦେଶୀୟ ସେମିକଣ୍ଡକ୍ଟର ଓ ପ୍ରଯୁକ୍ତିବିଦ୍ୟା କମ୍ପାନୀଗୁଡ଼ିକ ସହ ଆଲୋଚନା ପରେ ଓଡ଼ିଶାକୁ ପ୍ରାୟ ୨୩,୬୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ ହୋଇଛି । କଟକ ନରାଜ ହେବ ବିଶ୍ୱସ୍ତରୀୟ ସେମିକଣ୍ଡକ୍ଟର ହବ୍। ୮୭୦ ଏକର ପରିମିତ ଜମିରେ ଏଠାରେ ‘ଓଡ଼ିଶା ସିଲିକନ୍ ଭାଲି’ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତକୁ ଆଧୁନିକ ଟେକ୍ନୋଲୋଜିରେ ଆତ୍ମନିର୍ଭର କରିବା ପାଇଁ ଯେଉଁ ଅଭିଯାନ ଆରମ୍ଭ ହୋଇଛି, ସେଥିରେ ଓଡ଼ିଶା ନେତୃତ୍ବ ନେବାର ଭୂମିକାରେ ଅବତୀର୍ଣ୍ଣ ହେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଆଧୁନିକ ଜ୍ଞାନକୌଶଳ କ୍ଷେତ୍ରରେ ଓଡ଼ିଶା ଏବେ ନେତୃତ୍ବ ନେବ ବୋଲି ସେ କହିଛନ୍ତି।
ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ରାଜ୍ୟରେ ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ପ୍ରକଳ୍ପଗୁଡ଼ିକୁ ଏକାଠି କରି ଏକ ବିଶ୍ୱସ୍ତରୀୟ ସେମିକଣ୍ଡକ୍ଟର ହବ୍’ରେ ପରିଣତ କରିବା ପାଇଁ ଏହି ପ୍ରକଳ୍ପ ହାତକୁ ନିଆଯାଇଛି। ନରାଜର ଭୌଗୋଳିକ ଅବସ୍ଥିତି ଶିଳ୍ପ ପାଇଁ ଅତ୍ୟନ୍ତ ଅନୁକୂଳ। ଏଠାରୁ ଭୁବନେଶ୍ୱର-କଟକ ସହରାଞ୍ଚଳ କରିଡର୍ ସହ ସୁଗମ ଯୋଗାଯୋଗ ସୁବିଧା ରହିବା ସହ ମହାନଦୀ ନିକଟବର୍ତ୍ତୀ ହୋଇଥିବାରୁ ଆବଶ୍ୟକ ଜଳଯୋଗାଣ ମଧ୍ୟ ସହଜ ହୋଇପାରିବ। ଏହାଛଡ଼ା, ପାରାଦୀପ ଏବଂ ଧାମରା ବନ୍ଦର ସହ ସଂଯୋଗ ରହୁଥିବାରୁ ଏହା ଲଜିଷ୍ଟିକ୍ସ ଏବଂ ଯୋଗାଣ ଶୃଙ୍ଖଳ ପାଇଁ ଏକ ମୁଖ୍ୟ କେନ୍ଦ୍ର ପାଲଟିବ। ଏହା ‘ସେମିକନ୍ ୨.୦’ ଅଧୀନରେ ଓଡ଼ିଶାରେ ଏକ ସମ୍ପୂର୍ଣ୍ଣ ସେମିକଣ୍ଡକ୍ଟର ଭାଲ୍ୟୁ ଚେନ୍ ଗଠନ ଦିଗରେ ଏକ ବଡ଼ ପଦକ୍ଷେପ। ଏହାସହ ସିଲିକନ୍ କାର୍ବାଇଡ୍ ସବଷ୍ଟ୍ରେଟ୍ ୱାଫର ପ୍ରସ୍ତୁତି ପାଇଁ ‘କ୍ୱାଡକ୍ୱାଣ୍ଟମ’ ସଂସ୍ଥା ସହ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସରକାର ସେମିକଣ୍ଡକ୍ଟର ନୀତିକୁ ବିକଶିତ ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ ୨.୦ ସହ ସମନ୍ୱୟ ରକ୍ଷା କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। ଏହାର ସେମିକଣ୍ଡକ୍ଟର ନୀତିର ସଦ୍ୟତମ ତୃତୀୟ ସଂଶୋଧନ ମାଧ୍ୟମରେ ସେମିକଣ୍ଡକ୍ଟର ଶିଳ୍ପ ପ୍ରତିଷ୍ଠା ପାଇଁ ସହାୟତାକୁ ଆହୁରି ବ୍ୟାପକ କରାଯାଇଛି। ଏହି ସଂଶୋଧନ ଜରିଆରେ ଓଡ଼ିଶା ପକ୍ଷରୁ ସେମିକଣ୍ଡକ୍ଟର୍ ଉପକରଣ ତିଆରି, ସେମିକଣ୍ଡକ୍ଟର-ଗ୍ରେଡ୍ ଗ୍ୟାସ୍, କଞ୍ଚାମାଲ ଏବଂ ଯୋଗାଣଶୃଙ୍ଖଳ ବିଭାଗରେ ଆଇଏସଏମ ଅନୁମୋଦିତ ପ୍ରକଳ୍ପଗୁଡ଼ିକୁ ୨୫% ଅତିରିକ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।





