odisha24 Live

Latest News

Latest News

‘ତମାଖୁମୁକ୍ତ’ ହେଲା ଲୋକସେବା ଭବନ ପରିସର

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ବଡ଼ ଏବଂ ସ୍ୱାଗତଯୋଗ୍ୟ ପଦକ୍ଷେପ ନିଆଯାଇଛି। ଜନସ୍ୱାସ୍ଥ୍ୟର ସୁରକ୍ଷା, ସ୍ୱଚ୍ଛ ତଥା ସୁସ୍ଥ କାର୍ଯ୍ୟକ୍ଷେତ୍ର ପରିବେଶ ସୃଷ୍ଟି କରିବା ଏବଂ ତମାଖୁର କୁପ୍ରଭାବରୁ କର୍ମଚାରୀ ଓ ସାଧାରଣ ଲୋକଙ୍କୁ ରକ୍ଷା କରିବା ଉଦ୍ଦେଶ୍ୟରେ ରାଜ୍ୟର ପ୍ରମୁଖ ପ୍ରଶାସନିକ କେନ୍ଦ୍ର ‘ଲୋକସେବା ଭବନ’ ପରିସରକୁ ‘ତମାଖୁମୁକ୍ତ ଅଞ୍ଚଳ’ ଭାବେ ଘୋଷଣା କରାଯାଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ଜାରି କରାଯାଇଥିବା ନୋଟିଫିକେସନ୍‌ରେ ଦର୍ଶାଯାଇଛି ଯେ, ତମାଖୁ ସେବନ କ୍ୟାନ୍‌ସର, ହୃଦ୍‌ରୋଗ, ଫୁସଫୁସଜନିତ ସମସ୍ୟା ସମେତ ଅନେକ ମାରାତ୍ମକ ଅଣସଂକ୍ରାମକ ରୋଗର ମୁଖ୍ୟ କାରଣ ଅଟେ। କେବଳ ତମାଖୁ ବ୍ୟବହାର ଯୋଗୁଁ ଦେଶରେ ପ୍ରତିବର୍ଷ ପ୍ରାୟ ୧୩ ଲକ୍ଷ ଲୋକ ଜୀବନ ହରାଉଛନ୍ତି, ଯାହାକି ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି।

ଏହି ପଦକ୍ଷେପ ସମ୍ପର୍ଣ୍ଣ ହେବା ପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ପ୍ରତିକ୍ରିୟା ରଖି କହିଛନ୍ତି ଯେ, “ସ୍ୱଚ୍ଛ ଭାରତ, ସ୍ୱସ୍ଥ ଭାରତ ଏବଂ ‘ନିଶାମୁକ୍ତ ଭାରତ ଅଭିଯାନ’ର ଲକ୍ଷ୍ୟକୁ ଆହୁରି ମଜବୁତ କରିବା ପାଇଁ ଲୋକସେବା ଭବନକୁ ଏକ ସମ୍ପୂର୍ଣ୍ଣ ସୁସ୍ଥ ଓ ତମାଖୁମୁକ୍ତ କାର୍ଯ୍ୟସ୍ଥଳ ଭାବେ ଗଢ଼ି ତୋଳାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ରାଜ୍ୟରେ ତମାଖୁ ସେବନ ବିରୋଧୀ ଅଭିଯାନକୁ ବ୍ୟାପକ କରାଯାଉଛି। ଆଗାମୀ ପିଢ଼ିକୁ ଏକ ସୁରକ୍ଷିତ ଏବଂ ସୁସ୍ଥ ଭବିଷ୍ୟତ ଦେବା ପାଇଁ ଆମର ଏହି ପ୍ରୟାସ ଜାରି ରହିବ।” ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ, ବର୍ତ୍ତମାନଠାରୁ ଲୋକସେବା ଭବନ ପରିସର ଭିତରେ ଧୂମପାନ କରିବା, ଯେକୌଣସି ପ୍ରକାର ତମାଖୁ ସେବନ କରିବା ଏବଂ ଏପରିକି ତମାଖୁ ଛେପ ପକାଇବା ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରାଯାଇଛି।

Share In Social Media
Scroll to Top