
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ରାଜ୍ୟରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିସହ ମୋଦୀଙ୍କ ଜନସେବା ଓ ସମର୍ପଣର ୨୫ ବର୍ଷ ପୂର୍ତ୍ତିକୁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ପାଳନ କରାଯାଉଛି। ଏହି ଅବସରରେ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଉଦ୍ଘାଟନ କରିଛନ୍ତି।
ଆଜି ଏହି ଶିବିରରୁ ୬,୫୦୦ ୟୁନିଟ୍ରୁ ଅଧିକ ରକ୍ତ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ରକ୍ତଦାନ କରି ଗୋଟିଏ ଜୀବନ ବଞ୍ଚାଇବାର ଅନୁଭବ ଆମର ଉଚ୍ଚ ମାନବୀୟ ମୂଲ୍ୟବୋଧର ପରିଚୟ ପ୍ରଦାନ କରିଥାଏ। ବିଜ୍ଞାନ ଯେତେ ଆଗେଇଲେ ମଧ୍ୟ ରକ୍ତର କୌଣସି ବିକଳ୍ପ ନାହିଁ ଏବଂ ଏହା କୌଣସି କାରଖାନାରେ ତିଆରି ହୋଇପାରିବ ନାହିଁ,” ବୋଲି ‘ସେବା ସଂକଳ୍ପ ଅଭିଯାନ’ ଅବସରରେ ୟୁନିଟ-୩ ସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୭୬ତମ ଜନ୍ମଦିବସ ଅବସରରେ ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିକଶିତ ଭାରତର ବିନ୍ଧାଣୀ ମୋଦୀଜୀଙ୍କ ଦୀର୍ଘ ୫୦ ବର୍ଷର ଜନସେବା ଏବଂ ୨୫ ବର୍ଷର ନିରବଚ୍ଛିନ୍ନ ଶାସନ ଦେଶରେ କାୟାକଳ୍ପ ଆଣିଛି। ତାଙ୍କର ଏହି କଲ୍ୟାଣକାରୀ ଆଦର୍ଶରେ ଅନୁପ୍ରାଣିତ ହୋଇ ପାଳିତ ହେଉଥିବା ଏକ ମାସ ବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ମାନବସେବା ଓ ତ୍ୟାଗର ଏକ ବିରାଟ ଜନ-ଆନ୍ଦୋଳନ।
ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ଆଜି ବିଶ୍ୱର ଏକ ପ୍ରଭାବଶାଳୀ ଭୂ-ରାଜନୈତିକ ଓ ଅର୍ଥନୈତିକ ଶକ୍ତି ଭାବେ ଉଭା ହୋଇଛି। ପ୍ରତିରକ୍ଷା ଆମଦାନୀ ୭୦% ରୁ ହ୍ରାସ ପାଇ ୩୫% ରେ ପହଞ୍ଚିବା ସହ ସେମିକଣ୍ଡକ୍ଟର ଓ ସ୍ପେସ୍ ଟେକ୍ନୋଲୋଜି କ୍ଷେତ୍ରରେ ଭାରତ ଆତ୍ମନିର୍ଭର ହେଉଛି। ୨୦୪୭ ପୂର୍ବରୁ ବିକଶିତ ଭାରତର ଲକ୍ଷ୍ୟ ହାସଲ ହେବା ସୁନିଶ୍ଚିତ। ସେହିପରି ରାଜ୍ୟର ଯୁବଶକ୍ତିକୁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯୁବବର୍ଗ ନିଜ ଦୈନନ୍ଦିନ ଜୀବନରୁ କିଛି ସମୟ କାଢ଼ି ସମାଜସେବାରେ ନିୟୋଜିତ ହେବା ସହ ଦେଶସେବା ପାଇଁ ବ୍ରତୀ ହେବା ହିଁ ମୋଦିଜୀଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ ହେବ।





