odisha24 Live

Latest News

Latest News

ଇସ୍ରାଏଲର ଭୟଙ୍କର ଆକ୍ରମଣ, ଦକ୍ଷିଣ ଲେବାନନରେ ତୀବ୍ର ହେଲା ଉତ୍ତେଜନା

ଇସ୍ରାଏଲ : ଦକ୍ଷିଣ ଲେବାନନରେ ଇସ୍ରାଏଲ ଓ ଇରାନ ସମର୍ଥିତ ହିଜବୁଲ୍ଲା ମଧ୍ୟରେ ତିକ୍ତତା ବଢ଼ୁଥିବା ବେଳେ ସାମ୍ନାକୁ ଆସିଛି ବଡ଼ ଘଟଣାକ୍ରମ। ଏହାକୁ ନେଇ ଅଞ୍ଚଳରେ ପୁଣିଥରେ ଉତ୍ତେଜନା ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି। ରଣନୈତିକ ଭାବେ ଗୁରୁତ୍ବପୂର୍ଣ୍ଣ ଅଲୀ ଅଲ-ତାହେର ପାହାଡ଼ ତଳେ ନିର୍ମିତ ହିଜବୁଲ୍ଲାର ୨ କିମିରୁ ଅଧିକ ଲମ୍ବା ପ୍ରମୁଖ ସୁଡ଼ଙ୍ଗ ନେଟୱର୍କକୁ ଇସ୍ରାଏଲ୍ ବିସ୍ଫୋରଣ କରି ଉଡ଼ାଇ ଦେଇଥିବା ଗୁରୁବାର ଦାବି କରିଛି ।
ବିସ୍ଫୋରଣ ଲାଗି ପ୍ରାୟ ୧୧୦୦ ଟନ୍ ବିସ୍ଫୋରକ ବ୍ୟବହାର କରାଯାଇଥିଲା। ବିସ୍ଫୋରଣ ଏତେ ଭୟାବହ ଥିଲା ଯେ ଏଥିଯୋଗୁ ସେହି ଅଞ୍ଚଳରେ ୪.୧ ତୀବ୍ରତାର ଭୂକମ୍ପ ଭଳି ଝଟକା ଅନୁଭବ ହୋଇଥିଲା। ଆଖ ପାଖ ଅଞ୍ଚଳରେ ମାଟି ଦୋହଲିବା ପରି ଲାଗିଥିଲା ବୋଲି ଲେବାନନର ସରକାରୀ ନ୍ୟୁଜ ଏଜେନ୍ସି କହିଛି।
ସେପଟେ ଆକ୍ରମଣ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଏବଂ ପ୍ରତିରକ୍ଷା ମନ୍ତ୍ରୀ ମିଳିତ ବୟାନ ଜାରି କରିଥିଲେ। ସେମାନେ ଏହି ସୁଡ଼ଙ୍ଗ ନେଟୱର୍କକୁ ହିଜବୁଲ୍ଲାର ଆତଙ୍କୀ ଭିଭିଭୂମି ଭାବେ ଦର୍ଶାଇଥିଲେ। ଏଥିସହ ‘ମିସନ୍ ଶେଷ ହେଲା, ନବବର୍ଷର ଅଭିନନ୍ଦନ’ ବୋଲି ନେତନ୍ୟାହୁ କହିଥିଲେ। ତାଙ୍କ ଅନୁସାରେ, ଇରାନ ସମର୍ଥିତ ହିଜବୁଲ୍ଲା ଆତଙ୍କୀ ଗୋଷ୍ଠୀ ଯେପରି ସେହି ଅଞ୍ଚଳରେ ପୁନର୍ବାର ନିଜର ଉପସ୍ଥିତିକୁ ଜାହିର କରି ନପାରିବେ ସେଥିଲାଗି ଇସ୍ରାଏଲ ସେନା ସେଠାରେ ରହିବ।
ଇସ୍ରାଏଲୀ ସେନା (ଆଇଡିଏଫ୍) ମୁତାବକ, ଏହି ଟନେଲ ନେଟୱର୍କକୁ ବନାଇବାକୁ ପ୍ରାୟ ୨୦ ବର୍ଷ ସମୟ ଲାଗିଥିଲା। ସେଥିଲାଗି ଇରାନ ଆର୍ଥିକ ଭାବେ ସହାୟତା କରିଥିଲା। ହିଜବୁଲ୍ଲାର ସାମରିକ କାର୍ଯ୍ୟକଳାପ ଲାଗି ଏହାକୁ ବ୍ୟବହାର କରାଯାଉଥିଲା। ସୁଡ଼ଙ୍ଗରେ ଇରାନ ନିର୍ମିତ ଅନେକ ରକେଟ୍, ମିସାଇଲ୍ ଏବଂ ଡ୍ରୋନ୍ ରଖାଯାଇଥିଲା। ସେଠାରୁ ମେସିନଗନ୍, ଆଣ୍ଟି ଟ୍ୟାଙ୍କ ମିସାଇଲ୍, ଶହ ଶହ ଲ୍ୟାଣ୍ଡମାଇନ ଏବଂ ବିସ୍ଫୋରକ ମିଳିଥିଲା। ଏହି ପରିସରରେ ହିଜବୁଲ୍ଲାର ‘ବଦ୍ର’ ୟୁନିଟ୍ କମାଣ୍ଡ ସେଣ୍ଟର ରହିଥିଲା। ଆଇଡିଏଫ୍ ହିଜବୁଲ୍ଲାର ଟନେଲ ନେଟୱର୍କର ଫୁଟେଜ ମଧ୍ୟ ଜାରି କରିଛି।

Share In Social Media
Scroll to Top