odisha24 Live

Latest News

Latest News

ଯୁକ୍ତ୨ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର! ଯୋଡ଼ିହେଲା ୨ ନୂଆ ଧନ୍ଦାମୂଳକ ପାଠ୍ୟକ୍ରମ

ଭୁବନେଶ୍ୱର : ରାଜ୍ୟର ଯୁକ୍ତ୨ ଶିକ୍ଷା ବ୍ୟବସ୍ଥାରେ ଛାତ୍ରୀଛାତ୍ରଙ୍କ ପାଇଁ ଆଉ ଦୁଇଟି ନୂଆ ଧନ୍ଦାମୂଳକ ପାଠ୍ୟକ୍ରମ ସାମିଲ କରାଯାଇଛି। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ହେଲ୍‌ଥକେୟାର ଏବଂ ଆପାରେଲ୍ସକୁ ନୂଆ ଟ୍ରେଡ୍‌ ବିଷୟ ଭାବେ ଅନୁମୋଦନ ମିଳିଛି। ଏହି ପାଠ୍ୟକ୍ରମକୁ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଛାତ୍ରୀଛାତ୍ର ଅଧ୍ୟୟନ କରିପାରିବେ। ଯୁକ୍ତ ୨ରେ ଛାତ୍ରୀଛାତ୍ରଙ୍କୁ ୬ଟି ବିଷୟରେ ପରୀକ୍ଷା ଦେବାକୁ ପଡ଼ିଥାଏ।

ତେବେ ଛାତ୍ରୀଛାତ୍ରମାନେ ପୂର୍ବପରି ୫ଟି ବିଷୟ ସହିତ ଏହି ଦୁଇଟି ବିଷୟରୁ ଗୋଟିଏକୁ ବାଛିପାରିବେ ବୋଲି ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ଓଡ଼ିଶା ସ୍କୁଲ ଏଜୁକେଶନ ପ୍ରୋଗ୍ରାମ ଅଥରିଟି (ଓସେପା) ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଉପରେ ସିଏଚ୍‌ଏସ୍‌ଇର ଏକାଡେମିକ କମିଟି ବୈଠକରେ ବିସ୍ତୃତ ଆଲୋଚନା ପରେ ଏହି ଦୁଇଟି ପାଠ୍ୟକ୍ରମକୁ ଇଣ୍ଟିଗ୍ରେଟେଡ ଭୋକେଶନାଲ ଷ୍ଟ୍ରିମ୍‌ରେ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ହେଲ୍‌ଥକେୟାର ପାଠ୍ୟକ୍ରମରେ ଛାତ୍ରୀଛାତ୍ରଙ୍କୁ ‘ଜେନେରାଲ ଡ୍ୟୁଟି ଆସିଷ୍ଟାଣ୍ଟ ଟ୍ରେନି’ ଭାବେ କାର୍ଯ୍ୟ କରିବା ପାଇଁ ଆବଶ୍ୟକ ଦକ୍ଷତା ଓ ପ୍ରଶିକ୍ଷଣ ଦିଆଯିବ। ସେହିପରି ଆପାରେଲ୍ସ ପାଠ୍ୟକ୍ରମ ମାଧ୍ୟମରେ ‘ଆସିଷ୍ଟାଣ୍ଟ ଫ୍ୟାଶନଡିଜାଇନର’ ଭାବେ ନିଯୁକ୍ତି ପାଇଁ ଛାତ୍ରୀଛାତ୍ରଙ୍କୁ ପ୍ରସ୍ତୁତ କରାଯିବ। ଏହି ଦୁଇଟି ଧନ୍ଦାମୂଳକ ପାଠ୍ୟକ୍ରମ ପାଇଁ ମଧ୍ୟପ୍ରଦେଶର ଭୋପାଳସ୍ଥିତ ପଣ୍ଡିତ ସୁନ୍ଦରଲାଲ ଶର୍ମା ସେଣ୍ଟ୍ରାଲ ଇନ୍‌ଷ୍ଟିିଚ୍ୟୁଟ୍‌ ଅଫ୍‌ ଭୋକେଶନାଲ ଏଜୁକେଶନ ପକ୍ଷରୁ ପ୍ରସ୍ତୁତ ମାନକ ସିଲାବସ୍‌, ପାଠ୍ୟକ୍ରମ ଏବଂ ଶିକ୍ଷଣ ସାମଗ୍ରୀକୁ ଗ୍ରହଣ କରାଯିବ।

Share In Social Media
Scroll to Top