
ଭୁବନେଶ୍ୱର : ଚାକିରି ଓ ସୁଯୋଗକୁ ଅପେକ୍ଷା ନକରି ନିଜେ ସୁଯୋଗ ସୃଷ୍ଟି କରିବାକୁ ସ୍ନାତକମାନଙ୍କୁ ଆହ୍ୱାନ ଜଣାଇଛନ୍ତି ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି। ସମସ୍ୟା ସମାଧାନକାରୀ, ନବସୃଜନକାରୀ ଓ ଉଦ୍ୟୋଗୀ ଭାବେ ନିଜକୁ ଗଢ଼ି ତୋଳିବା ସହ ନୂଆ ସୁଯୋଗ ସୃଷ୍ଟି କରିବାକୁ ସେ ପରାମର୍ଶ ଦେଇଛନ୍ତି।
ସୋମବାର ଦିନ ବୁର୍ଲାସ୍ଥିତ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ଥିବା ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଅନୁଷ୍ଠିତ ବିଶ୍ୱବିଦ୍ୟାଳୟର ୩୬ତମ ସମାବର୍ତ୍ତନ ସମାରୋହରେ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି । ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ସ୍ନାତକମାନେ ନିଜେ ସୁଯୋଗ ସୃଷ୍ଟି କରିବା ପାଇଁ ସାହସ ଓ ଦକ୍ଷତା ବିକଶିତ କରନ୍ତୁ। ସ୍ନାତକମାନଙ୍କୁ ଅଭିନନ୍ଦନ ଜଣାଇ ରାଜ୍ୟପାଳ କହିଥିଲେ ଯେ ଭାରତ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ୁଥିବା ସମୟରେ ଯୁବପିଢ଼ି ବୃତ୍ତିଗତ ଜୀବନରେ ପ୍ରବେଶ କରୁଛନ୍ତି। କୃତ୍ରିମ ବୁଦ୍ଧିମତ୍ତା, ଉନ୍ନତ ଉତ୍ପାଦନ, ବାୟୋଟେକ୍ନୋଲୋଜି, ମହାକାଶ ଓ ସ୍ୱଚ୍ଛ ଶକ୍ତି ଭଳି କ୍ଷେତ୍ର ଯୁବ ପେସାଦାର ଓ ଉଦ୍ୟୋଗୀଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରୁଛି। ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଭାରତର ପ୍ରକୃତ ଜିଡିପି ୭.୮ ପ୍ରତିଶତ ବଢ଼ିବାର ଆକଳନ ଦେଶର ଅର୍ଥନୀତିର ସ୍ଥିରତାକୁ ପ୍ରତିଫଳିତ କରୁଛି ବୋଲି ସେ କହିଥିଲେ। ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାବଳୀକୁ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ ବିଶ୍ୱ ରାଜନୀତି, ଶକ୍ତି ସୁରକ୍ଷା, ବାଣିଜ୍ୟ ଓ ପ୍ରଯୁକ୍ତି ପରସ୍ପର ସହ ଘନିଷ୍ଠ ଭାବେ ଜଡ଼ିତ। ଏଭଳି ପରିସ୍ଥିତି ଭାରତ ପାଇଁ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରତା ବଢ଼ାଇବା ସହ ସୌର ଓ ପବନ ଶକ୍ତି, ଶକ୍ତି ସଂରକ୍ଷଣ, ଗ୍ରୀନ୍ ହାଇଡ୍ରୋଜେନ, ଇଲେକ୍ଟ୍ରିକ୍ ମୋବିଲିଟି ଓ ଜଳବାୟୁ-ସହନଶୀଳ ପ୍ରଯୁକ୍ତି ଭଳି କ୍ଷେତ୍ରରେ ନୂଆ ସୁଯୋଗ ଆଣିଛି।
୨୦୩୦ ସୁଦ୍ଧା ୫୦୦ ଗିଗାୱାଟ୍ ଅଣ-ଜୀବାଶ୍ମ ଶକ୍ତି କ୍ଷମତା ହାସଲ କରିବା ଲକ୍ଷ୍ୟକୁ ଉଲ୍ଲେଖ କରି ରାଜ୍ୟପାଳ ଛାତ୍ରଛାତ୍ରୀଙ୍କୁ ଏହାକୁ କେବଳ ସରକାରୀ ନୀତି ଭାବେ ନଦେଖି ନବସୃଜନ, ଗବେଷଣା ଓ ଉଦ୍ୟୋଗର ନୂଆ କ୍ଷେତ୍ର ଭାବେ ଗ୍ରହଣ କରିବାକୁ କହିଥିଲେ। ଜାତୀୟ ଶିକ୍ଷା ନୀତି (NEP) ୨୦୨୦ରେ ବହୁବିଷୟକ ଶିକ୍ଷା, ସୁକ୍ଷ୍ମ ଚିନ୍ତନ, ଦକ୍ଷତା, ଗବେଷଣା ଓ ଉଦ୍ୟମିତା ଉପରେ ଗୁରୁତ୍ୱ ଦିଆଯାଇଥିବା ରାଜ୍ୟପାଳ କହିଥିଲେ। କେବଳ ନମ୍ବର ଓ ଡିଗ୍ରୀ ନୁହେଁ, ସମାଜ ଓ ଅର୍ଥନୀତିରେ ଅର୍ଥପୂର୍ଣ୍ଣ ଯୋଗଦାନ କରିପାରିବା ଭଳି ଦକ୍ଷତା ବିକଶିତ କରିବା ଉପରେ ଗୁରୁତ୍ୱ ଦେବାକୁ ସେ କହିଥିଲେ। ଏହି ଅବସରରେ NEP ୨୦୨୦ର ଲକ୍ଷ୍ୟକୁ ଆଗକୁ ବଢ଼ାଇବାରେ ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିକାକୁ ରାଜ୍ୟପାଳ ପ୍ରଶଂସା କରିଥିଲେ।
ସମାଜ ପ୍ରତି ଶିକ୍ଷାନୁଷ୍ଠାନମାନଙ୍କର ଦାୟିତ୍ୱ ଉପରେ ଗୁରୁତ୍ୱ ଦେଇ ରାଜ୍ୟପାଳ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୋଷ୍ୟ
ଗ୍ରାମ ଗ୍ରହଣ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। କ୍ରୋନିକ୍ କିଡନୀ ରୋଗର ଅଧିକ ପ୍ରାଦୁର୍ଭାବ ଥିବା ୩ଟି ଗ୍ରାମକୁ ବିଶ୍ୱବିଦ୍ୟାଳୟ ପୋଷ୍ୟ ଭାବେ ଗ୍ରହଣ କରିବା ସହ ସେଣ୍ଟ୍ରାଲ ୱେରହାଉସିଙ୍ଗ କର୍ପୋରେସନର ସିଏସଆର ସହାୟତାରେ ଉଚ୍ଚ କ୍ଷମତାସମ୍ପନ୍ନ ଆର ଓ ଜଳ ବିଶୋଧନ ପ୍ଲାଣ୍ଟ ସ୍ଥାପନ ପାଇଁ ପଦକ୍ଷେପ ନିଆଯାଇଥିବା କଥା ରାଜ୍ୟପାଳ କହିଥିଲେ। ଏହି ପଦକ୍ଷେପକୁ ପ୍ରତିଷେଧକ ସ୍ୱାସ୍ଥ୍ୟସେବା, ଜଳ ସୁରକ୍ଷା, ସ୍ଥାୟୀ ଜୀବିକା, ଡିଜିଟାଲ ସାକ୍ଷରତା ଓ ସ୍ଥାନୀୟ ଉଦ୍ୟମିତା କ୍ଷେତ୍ରକୁ ବିସ୍ତାର କରିବାକୁ ସେ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କୁ ଆହ୍ୱାନ ଜଣାଇଥିଲେ। ପରିବେଶ ସୁରକ୍ଷାରେ ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କର ଭୂମିକାକୁ ମଧ୍ୟ ରାଜ୍ୟପାଳ ଗୁରୁତ୍ୱ ଦେଇଥିଲେ। ଓଡ଼ିଶା ଲୋକ ଭବନକୁ ଇଣ୍ଡିଆନ୍ ଗ୍ରୀନ୍ ବିଲ୍ଡିଂ କାଉନସିଲର ଗ୍ରୀନ୍ କ୍ୟାମ୍ପସ ରେଟିଂ ସିଷ୍ଟମରେ ପ୍ଲାଟିନମ୍ ପ୍ରମାଣପତ୍ର ମିଳିଥିବା ପ୍ରସଙ୍ଗ ଉଲ୍ଲେଖ କରି ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ଅକ୍ଷୟ ଶକ୍ତି, ଜଳ ସଂରକ୍ଷଣ, ବର୍ଜ୍ୟ ପରିଚାଳନା, ଗ୍ରୀନ୍ ବିଲ୍ଡିଂ ଓ ସ୍ଥାୟୀ କ୍ୟାମ୍ପସ ବ୍ୟବସ୍ଥା ଦିଗରେ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ। ସଂସ୍ଥାଗତ ଦାୟିତ୍ୱ ସହ ନାଗରିକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ସାମାଜିକ ଦାୟିତ୍ୱ ପ୍ରତିଫଳିତ ହେବା ଆବଶ୍ୟକ ବୋଲି ରାଜ୍ୟପାଳ କହିଥିଲେ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶକୁ ଉଲ୍ଲେଖ କରି ସେ ‘କର୍ପୋରେଟ୍ ସୋସିଆଲ୍ ରେସପନ୍ସିବିଲିଟି’ ସହ ‘ସିଟିଜେନ୍ ସୋସିଆଲ୍ ରେସପନ୍ସିବିଲିଟି’ର ଆବଶ୍ୟକତା ଉପରେ ଜୋର ଦେଇଥିଲେ।
ଦେଶର ଅର୍ଥନୀତିକୁ ମଜବୁତ କରିବା ଓ ବିଦେଶୀ ମୁଦ୍ରା ସଞ୍ଚୟ ପାଇଁ ଦାୟିତ୍ୱବାନ ଜୀବନଶୈଳୀ ଆପଣାଇବାକୁ ରାଜ୍ୟପାଳ ସ୍ନାତକମାନଙ୍କୁ ଆହ୍ୱାନ ଦେଇଥିଲେ। ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା କମାଇବା ପାଇଁ ଇଲେକ୍ଟ୍ରିକ୍ ଯାନର ବ୍ୟବହାର, ଖାଇବା ତେଲର ଯଥା ସମ୍ଭବ କମ ବ୍ୟବହାର ଓ ଅନାବଶ୍ୟକ ବିଦେଶ ଯାତ୍ରା ଏଡ଼ାଇବାକୁ ସେ ପରାମର୍ଶ ଦେଇଥିଲେ। ଏତତବ୍ୟତୀତ ଓଡ଼ିଶା ସମେତ ଦେଶର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ଅନ୍ୱେଷଣ କରିବାକୁ ସେ ଯୁବପିଢ଼ିଙ୍କୁ ଉତ୍ସାହିତ କରିଥିଲେ। ଏହି ସମାବର୍ତ୍ତନ ସମାରୋହରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ମାନ୍ୟବର ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଉଚ୍ଚଶିକ୍ଷା, କ୍ରୀଡ଼ା ଏବଂ ଯୁବସେବା ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଉଦବୋଧନ ଦେଇଥିଲେ। କୁଳପତି ଶ୍ରୀ ବିଧୁ ଭୂଷଣ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ରାଜ୍ୟପାଳ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ଡିଗ୍ରୀ ପ୍ରଦାନ କରିଥିଲେ।





