odisha24 Live

Latest News

Latest News

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର : ​ସ୍କୁଲ ଆସିବା-ଯିବା କିମ୍ବା ପରିସରରେ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ଯାଏଁ ସହାୟତା । ମଧ୍ୟାହ୍ନ ଭୋଜନ ଜନିତ ଅସୁସ୍ଥତା କିମ୍ବା ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ଅକ୍ଷମତା ପାଇଁ ୨ ଲକ୍ଷ ଟଙ୍କା ମିଳିବ। ଆହତ ହେଲେ ଚିକିତ୍ସା ମାଗଣା ଏବଂ ଯାତାୟାତ ପାଇଁ ମିଳିବ ୧୦ ରୁ ୩୦ ହଜାର ଟଙ୍କା । ୨୪ ଘଣ୍ଟା ମଧ୍ୟରେ ସିଧାସଳଖ ମା’ଙ୍କ ବ୍ୟାଙ୍କ ଖାତାକୁ ଯିବ ଟଙ୍କା । ବିଦ୍ୟାଳୟକୁ ଆସିବା-ଯିବା ବେଳେ କିମ୍ବା ସ୍କୁଲ ପରିସରରେ କୌଣସି ଅପ୍ରତ୍ୟାଶିତ ଦୁର୍ଘଟଣାର ଶିକାର ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ କଲ୍ୟାଣକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଆର୍ଥିକ ସହାୟତା ନିମନ୍ତେ ‘ଏକ୍ସ-ଗ୍ରାସିଆ ଗ୍ରାଣ୍ଟ ଫଣ୍ଡ’ର ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।
ପୂର୍ବର ୨୦୧୫ ନିୟମକୁ ସଂଶୋଧନ କରି ଏହାର ପରିସରକୁ ବ୍ୟାପକ କରାଯାଇଛି । ପୂର୍ବରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସୁବିଧା ମିଳୁଥିଲା । ଏଣିକି ଶିଶୁ ବାଟିକାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ମାଇନିଂ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ସୁବିଧା ପାଇପାରିବେ । ​ବିଭାଗୀୟ ବିଜ୍ଞପ୍ତି ଅନୁଯାୟୀ, ଘରୁ ବିଦ୍ୟାଳୟକୁ ଆସିବା କିମ୍ବା ଫେରିବା ସମୟରେ ସଡ଼କ ଦୁର୍ଘଟଣା, ସ୍କୁଲ କୋଠା ଭିତରେ କୌଣସି ଦୁର୍ଘଟଣା, ମଧ୍ୟାହ୍ନ ଭୋଜନ ଖାଇ ଫୁଡ୍ ପଏଜନିଂ ହେବା କିମ୍ବା ସ୍କୁଲର କୌଣସି କାର୍ଯ୍ୟକଳାପ ସମୟରେ ଅଘଟଣ ଘଟି ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହେଲେ କିମ୍ବା ସ୍ଥାୟୀ ଭିନ୍ନକ୍ଷମତା ଦେଖାଦେଲେ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ । କୌଣସି ବଡ଼ ଧରଣର ଦୁର୍ଘଟଣା ଘଟି ଛାତ୍ରଛାତ୍ରୀଙ୍କୁ ଉନ୍ନତ ଚିକିତ୍ସା ପାଇଁ ଜିଲ୍ଲା ବାହାରକୁ ବା ବଡ଼ ମେଡିକାଲ କଲେଜକୁ ସ୍ଥାନାନ୍ତର କରିବାକୁ ପଡ଼ିଲେ ଯାତାୟାତ ଓ ଆନୁସଙ୍ଗିକ ଖର୍ଚ୍ଚ ବାବଦକୁ ସର୍ବାଧିକ ୩୦,୦୦୦ ଟଙ୍କା ପ୍ରଦାନ କରାଯିବ । ସେହିପରି ଦୁର୍ଘଟଣା ପରେ ଶିଶୁଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ୩ ଦିନରୁ ଅଧିକ ସମୟ ଚିକିତ୍ସିତ ହେଲେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳିବ
। ତେବେ ସରକାରୀ ଡାକ୍ତରଖାନାରେ ଆହତ ଛାତ୍ରଛାତ୍ରୀଙ୍କ ସମସ୍ତ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରାଯିବ ଏବଂ ଏହି ଖର୍ଚ୍ଚ ଆୟୁଷ୍ମାନ ଭାରତ, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ବା ରେଡକ୍ରସ ପାଣ୍ଠିରୁ ବହନ କରାଯିବ । ନୂଆ ନିୟମ ଅନୁଯାୟୀ, ଏହି ଆର୍ଥିକ ସହାୟତା ରାଶି ପ୍ରଦାନ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ମା’ଙ୍କୁ ପ୍ରଥମ ପ୍ରାଥମିକତା ଦିଆଯିବ । ମା’ ଜୀବିତ ନଥିଲେ ବାପାଙ୍କୁ ଏବଂ ଉଭୟ ପିତାମାତା ନଥିଲେ ଜିଲ୍ଲାପାଳଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ବୈଧ ଅଭିଭାବକଙ୍କୁ ଏହି ଅର୍ଥ ମିଳିବ । ଅଘଟଣ ଘଟିବା ମାତ୍ରେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ବ୍ଲକ ଶିକ୍ଷା ଅଧିକାରୀଙ୍କ ଜରିଆରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ତଦନ୍ତ ରିପୋର୍ଟ ପଠାଇବେ ।

Share In Social Media
Scroll to Top