
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଦକ୍ଷିଣ-ପଶ୍ଚିମ ଅଞ୍ଚଳ ଅନ୍ତର୍ଗତ ସତ୍ୟ ନିକେତନ ଅଞ୍ଚଳରୁ ଏକ ବଡ଼ ଧରଣର ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ସେଠାରେ ହଠାତ୍ ଏକ ତିନି ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିଛି। ସୂଚନା ଅନୁଯାୟୀ, ରବିବାର ଅପରାହ୍ନ ପ୍ରାୟ ୧ଟା ୩୦ ମିନିଟ୍ରେ ଏହି ଅଘଟଣ ଘଟିଥିଲା। କୋଠାଟି ଭୁଶୁଡ଼ି ପଡ଼ିବା ପରେ ବହୁ ପରିମାଣର ଭଗ୍ନାବଶେଷ ରାସ୍ତା ଉପରେ ପଡ଼ିଥିଲା। ଏହା ତଳେ କିଛି ଗାଡ଼ି ମଧ୍ୟ ଚାପି ହୋଇ ରହିଥିବା ଜଣାପଡ଼ିଛି। ଘଟଣା ପରେ ସ୍ଥାନୀୟ ଲୋକମାନେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ହାତୁଡ଼ି ଓ ଅନ୍ୟାନ୍ୟ ସାଧନ ସାହାଯ୍ୟରେ ଭଗ୍ନାବଶେଷ ହଟାଇବାକୁ ସେମାନେ ଉଦ୍ୟମ କରୁଛନ୍ତି। ଉଦ୍ଧାରକାରୀ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଫସିଥିବା ଲୋକଙ୍କୁ ବାହାର କରିବାକୁ ତଲାସି ଅଭିଯାନ ଚଳାଇଛନ୍ତି।
ରିପୋର୍ଟ ଅନୁଯାୟୀ, ଭୁଶୁଡ଼ି ପଡ଼ିଥିବା ଏହି କୋଠାଟି ପୂର୍ବରୁ ଏକ ହଷ୍ଟେଲ ଭାବେ ବ୍ୟବହୃତ ହେଉଥିଲା। ତେଣୁ ଭଗ୍ନାବଶେଷ ତଳେ ପିଲାମାନେ ଫସିଥିବା ଆଶଙ୍କା ମଧ୍ୟ ରହିଛି। ତେବେ କେତେଜଣ ଭିତରେ ଫସିଛନ୍ତି କିମ୍ବା ଘଟଣା ସମୟରେ କୋଠା ଭିତରେ କେତେ ଲୋକ ଥିଲେ, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ଇତିମଧ୍ୟରେ ଭଗ୍ନାବଶେଷ ମଧ୍ୟରୁ ଜଣେ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଅନ୍ୟମାନଙ୍କୁ ମଧ୍ୟ ଶୀଘ୍ର ଉଦ୍ଧାର କରିବା ପାଇଁ ତଲାସି ଜାରି ରହିଛି।





