odisha24 Live

Latest News

Latest News

ଆସୁଛି ପ୍ଲାଷ୍ଟିକ୍‌ ନୋଟ୍‌

ମୁମ୍ବାଇ : ମୁମ୍ବାଇ: ଆସନ୍ତା ଆର୍ଥିକ ବର୍ଷ ୧ା ୨୦୨୭-୨୮ଠାରୁ ଦେଶରେ ପ୍ଲାଷ୍ଟିକ୍ ନୋଟ୍‌ ପ୍ରଚଳନ ଆରମ୍ଭ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଲକ୍ଷ୍ୟ ରଖିଛି। ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ ଯୋଜନା ଅନୁସାରେ ପରୀକ୍ଷଣ ସଫଳ ରହିଲେ ଆସନ୍ତା ଆର୍ଥିକ ବର୍ଷରୁ ପ୍ଲାଷ୍ଟିକ୍‌ ନୋଟ୍‌ ପ୍ରଚଳନ କରାଯିବ। ରିଜର୍ଭ ବ୍ୟାଙ୍କ ୧୦ ଟଙ୍କିଆ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ୍‌ ପ୍ରଚଳନ କରିବାକୁ ଯୋଜନା ରଖିଛି। ସରକାରଙ୍କଠାରୁ ଅନୁମୋଦନ ହାସଲ କରିବା ପରେ ଏହି ନୋଟ୍‌ର ପରୀକ୍ଷଣ ଆରମ୍ଭ କରାଯାଇଛି।
ଏକ ଦଶନ୍ଧି ପୂର୍ବରୁ ପ୍ଲାଷ୍ଟିକ୍‌ ନୋଟ୍‌ ଆଣିବାକୁ ଉଦ୍ୟମ କରାଯାଇଥିଲା। କିନ୍ତୁ ପ୍ରଯୁକ୍ତି ଅଭାବ ଥିବାରୁ ତାହା ସମ୍ଭବ ହୋଇନଥିଲା। ଏବେ ପୁଣି ଥରେ ସେହି ଯୋଜନା ଉପରେ କାମ ଚାଲିଛି। ଶ୍ରୀ ମାଲ‌ହୋତ୍ରା କହିଛନ୍ତି ଯେ ବର୍ତ୍ତମାନ ପ୍ରଚଳନରେ ଥିବା କାଗଜରେ ପ୍ରସ୍ତୁତ ନୋଟ୍‌ ତୁଳନାରେ ପ୍ଲାଷ୍ଟିକ୍‌ ବା ପଲିମର୍‌ ନୋଟ୍‌ ଦୀର୍ଘସ୍ଥାୟୀ। ସେଥିପାଇଁ ବାରମ୍ବାର ବଦଳାଇବାକୁ ପଡ଼ୁଥିବା ଛୋଟ୍‌ ନୋଟ୍‌ରୁ ଏହାର ପ୍ରଚଳନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। ବଡ଼ ନୋଟ୍‌ ତୁଳନାରେ ଛୋଟ ନୋଟ୍‌ଗୁଡ଼ିକ ଶୀଘ୍ର ଖରାପ ହୋଇଯାଏ। କାରଣ ତାହା ବାରମ୍ବାର ଜଣଙ୍କଠାରୁ ଅନ୍ୟ ଜଣଙ୍କ ପାଖକୁ ଯାଇଥାଏ। ପ୍ଲାଷ୍ଟିକ୍‌ ନୋଟ୍‌ ଏଭଳି ମାମଲାରେ ଅଧିକ ଦିନ ଚାଲିବ। ଫଳରେ ସେହି ନୋଟ୍‌ଗୁଡ଼ିକୁ ଆଉ ବାରମ୍ବାର ଛପାଇବା କିମ୍ବା ବଦଳାଇବାକୁ ପଡ଼ିବ ନାହିଁ।ଏକ ସର୍ବେକ୍ଷଣକୁ ଆଧାର କରି ରିଜର୍ଭ ବ୍ୟାଙ୍କ ଜଣାଇଛି ଯେ ପ୍ଲାଷ୍ଟିକ୍‌ ନୋଟ୍‌ ଛପାଇବାର ମୂଲ୍ୟ କାଗଜ ନୋଟ୍‌ ତୁଳନାରେ ଅଧିକ। କିନ୍ତୁ ଯେହେତୁ ଏହାକୁ ବାରମ୍ବାର ବଦଳଇବା, ପରିବହନ କରିବା କିମ୍ବା ଛପାଇବାକୁ ପଡ଼ିବ ନାହିଁ, ତେଣୁ ସମୟକ୍ରମେ ନୋଟ୍‌ ଛପାରେ ହେଉଥିବା ଖର୍ଚ୍ଚ କମିଯିବ।

Share In Social Media
Scroll to Top