
ଭୁବନେଶ୍ୱର : ପୁରୀ ରଥଯାତ୍ରାକୁ ୟୁନେସ୍କୋ ତାଲିକାରେ ସାମିଲ୍ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆନୁଷ୍ଠାନିକ ଭାବରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୁରୀ ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ତାଲିକାରେ ସାମିଲ କରିବାକୁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ ଚିଠି ଲେଖି ଜରୁରୀ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥଯାତ୍ରାକୁ ୟୁନେସ୍କୋ ତାଲିକାରେ ମାନ୍ୟତା ଦେବା ପାଇଁ ଆବସ୍ୟକୀୟ ସମସ୍ତ ନଥିପତ୍ର ଓ ଆବେଦନ ପତ୍ର ପଠାଯାଇଛି । ମୁଖ୍ୟମନ୍ତ୍ରୀ ଚିଠିରେ କହିଛନ୍ତି, ରଥଯାତ୍ରା କେବଳ ଏକ ଧାର୍ମିକ ପର୍ବ ନୁହେଁ, ବରଂ ଏହା ଭାରତର ସାଂସ୍କୃତିକ ବିବିଧତା , ଆଧ୍ୟାତ୍ମିକତା, ଶିଳ୍ପକଳା, ସଙ୍ଗୀତ , ନୃତ୍ୟ ଏବଂ ସାମୂହିକ ସହଭାଗିତାର ଏକ ଅତୁଳନୀୟ ପ୍ରତୀକ । ଏହି ପ୍ରସ୍ତାବକୁ ୟୁନେସ୍କୋ ନିକଟରେ ଶୀଘ୍ର ଉପସ୍ଥାପନ କରିବା ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟର ବ୍ୟକ୍ତିଗତ ହସ୍ତକ୍ଷେପ ଓ ସହଯୋଗ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ ।

