
ନୂଆଦିଲ୍ଲୀ : ଟ୍ରେନରେ ଯାତ୍ରା କରୁଥିବା ଏବଂ ଅନଲାଇନରେ ଟିକେଟ ବୁକ କରୁଥିବା ଯାତ୍ରୀଙ୍କ ପାଇଁ ଜରୁରୀ ଖବର। ୟୁପିଆଇ ପେମେଣ୍ଟକୁ ନେଇ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ନ୍ୟାଶନାଲ ପେମେଣ୍ଟ୍ସ କର୍ପୋରେସନ ଅଫ ଇଣ୍ଡିଆ ର ନୂଆ ଫ୍ରେମୱର୍କ ଅନୁସାରେ, ୨,୦୦୦ ଟଙ୍କାରୁ ଅଧିକ ରେଳ ଟିକେଟରେ ୟୁପିଆଇ ପେମେଣ୍ଟ ଉପରେ ୫ ଟଙ୍କାର ଏମଡିଆର ଲାଗିବ।
ନୂଆ ନିୟମ ଅନୁସାରେ, ୨,୦୦୦ ଟଙ୍କାରୁ ଅଧିକ ମୂଲ୍ୟର ଟ୍ରେନ ଟିକେଟ ପାଇଁ ୟୁପିଆଇ ମାଧ୍ୟମରେ ପେମେଣ୍ଟ କଲେ ୫ ଟଙ୍କାର ଫ୍ଲାଟ ଏମଡିଆର ଲାଗିବ। ଉଦାହରଣ ସ୍ବରୂପ, ଟିକେଟର ମୂଲ୍ୟ ୨,୫୦୦ ଟଙ୍କା ହେଲେ ମଧ୍ୟ ଏହି ଚାର୍ଜ ଟିକେଟର ମୂଲ୍ୟ ଉପରେ ଅତିରିକ୍ତ ଭାବେ ଯାତ୍ରୀଙ୍କଠାରୁ ଆଦାୟ ହେବ ନାହିଁ।
ଏଠାରେ ଯାତ୍ରୀଙ୍କ ପାଇଁ ଆଶ୍ୱସ୍ତିର ଖବର ରହିଛି। ୨,୦୦୦ ଟଙ୍କାରୁ ଅଧିକ ଟ୍ରେନ ଟିକେଟ ୟୁପିଆଇ ରେ ବୁକ କଲେ ଏହି ୫ ଟଙ୍କାର ଏମଡିଆର ଯାତ୍ରୀଙ୍କଠାରୁ ନିଆଯିବ ନାହିଁ। ଅର୍ଥାତ୍ ଆପଣଙ୍କ ଟିକେଟ୍ର ମୂଲ୍ୟ ୨,୫୦୦ ଟଙ୍କା ହେଲେ, ୟୁପିଆଇରେ ୨,୫୦୦ ଟଙ୍କା ହିଁ ପେମେଣ୍ଟ କରିବାକୁ ପଡ଼ିବ।
ଏହି ୫ ଟଙ୍କାର ଏମଡିଆର ଚାର୍ଜ ଯାତ୍ରୀଙ୍କ ଉପରେ ପାସ କରାଯିବ ନାହିଁ। ଏହାର ଭାର ରେଳୱେ କିମ୍ବା ଟିକେଟ ବୁକିଂ ସେବା ପ୍ରଦାନକାରୀ ସଂସ୍ଥା ଉପରେ ରହିବ। ତେଣୁ ଅନଲାଇନରେ UPI ମାଧ୍ୟମରେ ଟ୍ରେନ ଟିକେଟ ବୁକ କରୁଥିବା ଯାତ୍ରୀଙ୍କୁ ଏହି ଏମଡିଆର ପାଇଁ ଅତିରିକ୍ତ ଟଙ୍କା ଦେବାକୁ ପଡ଼ିବ ନାହିଁ।





