odisha24 Live

Latest News

Latest News

ରାଜ୍ୟର ସମସ୍ତ ହାଇସ୍କୁଲକୁ ମିଳିବ ସ୍ୱତନ୍ତ୍ର ପ୍ୟାକେଜ୍; ବଦଳିବ ଶିକ୍ଷା ବ୍ୟବସ୍ଥାର ଚିତ୍ର

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ସମଗ୍ର ଓଡ଼ିଶାର ସମସ୍ତ ହାଇସ୍କୁଲରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଭିତ୍ତିଭୂମିର ଉନ୍ନତୀକରଣ ପାଇଁ ସରକାର ଏକ ସ୍ୱତନ୍ତ୍ର ପ୍ୟାକେଜ୍ ପ୍ରଦାନ କରିବେ । କଟକ ଗସ୍ତରେ ଆସିଥିବା ବେଳେ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରବିବାର ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ବିଦ୍ୟାଳୟ ସ୍ତରରୁ ହିଁ ପିଲାମାନଙ୍କୁ କେବଳ ବହିପାଠ ନୁହେଁ, ବରଂ ପ୍ରାୟୋଗିକ ଜ୍ଞାନ ପ୍ରଦାନ କରିବା ଲକ୍ଷ୍ୟରେ ଏହି ସ୍ୱତନ୍ତ୍ର ପ୍ୟାକେଜ୍ ଦିଆଯିବ । ଏହି ଅର୍ଥରେ ସ୍କୁଲଗୁଡ଼ିକରେ ଅତ୍ୟାଧୁନିକ ସାଇନ୍ସ ଲ୍ୟାବ୍ ଏବଂ ସ୍ମାର୍ଟ କ୍ଲାସରୁମ୍ ପ୍ରତିଷ୍ଠା କରାଯିବ । ଛାତ୍ରଛାତ୍ରୀଙ୍କ ସାମଗ୍ରିକ ତଥା ବୌଦ୍ଧିକ ବିକାଶ ଦିଗରେ ସରକାରୀ ପାଣ୍ଠିର କୌଣସି ଅଭାବ ରହିବ ନାହିଁ କିମ୍ବା ଅର୍ଥ କେବେ ବି ବାଧକ ସାଜିବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।
ଅନ୍ୟପକ୍ଷରେ, ରାଜ୍ୟର ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ‘ସାଇନ୍ସ ପାର୍କ’ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଶ୍ରେଣୀଗୃହରେ ପିଲାମାନେ ବିଜ୍ଞାନର ଯେଉଁ ତାତ୍ତ୍ୱିକ ବିଷୟଗୁଡ଼ିକ ପଢ଼ୁଛନ୍ତି, ଏହି ସାଇନ୍ସ ପାର୍କ ଜରିଆରେ ସେମାନେ ତାର ବାସ୍ତବ ଓ ପ୍ରାୟୋଗିକ ଅନୁଭୂତି ହାସଲ କରିପାରିବେ । ଏହି ବୃହତ୍ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ନେଇ ବର୍ତ୍ତମାନ ସ୍ତରରେ ସର୍ବେକ୍ଷଣ ଜାରି ରହିଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି ।

ଏହି ଗସ୍ତ କାଳରେ ସ୍ଥାନୀୟ ସାଂସଦଙ୍କ ପ୍ରତିନିଧି ତଥା ବରିଷ୍ଠ ବିଜେପି ନେତା ଶ୍ରୀତମ ଦାସ କହିଛନ୍ତି ଯେ, କଟକ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟକୁ ମଧ୍ୟ ଏହି ସ୍ୱତନ୍ତ୍ର ଯୋଜନାରେ ସାମିଲ କରାଯାଇ ଆର୍ଥିକ ଅନୁଦାନ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

Share In Social Media
Scroll to Top