odisha24 Live

Latest News

Latest News

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମରେ ଅଭାବନୀୟ ଘଟଣା

ମଥୁରା: ଆଶ୍ରମରେ ସବୁ କିଛି ସ୍ୱାଭାବିକ ଥିଲା। ହେଲେ ହଠାତ୍ ଚତୁର୍ଥ ମହଲାରୁ ଜଣେ ଶିଷ୍ୟ ତଳକୁ ଖସିପଡ଼ିବା ପରେ ଘଟିଗଲା ବଡ଼ ଅଘଟଣ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଶେଷରେ ଚାଲିଗଲା ଜୀବନ। ଘଟଣାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ।

ମଥୁରା ଜିଲ୍ଲାର ବୃନ୍ଦାବନସ୍ଥିତ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଶ୍ରୀ ହିତ ରାଧା କେଲି କୁଞ୍ଜ ଆଶ୍ରମ ସହ ଜଡ଼ିତ ଗୁରୁ କୃପା କୁଞ୍ଜରେ ଏହି ଘଟଣା ଘଟିଛି। ମୃତକଙ୍କ ନାମ ରସିକ ଦୁଲାରୀ ଶରଣ ମହାରାଜ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଗତ ଗୁରୁବାର ସନ୍ଧ୍ୟାରେ ରସିକ ଦୁଲାରୀ ଶରଣ ଚତୁର୍ଥ ମହଲାର ଛାତକୁ ଯାଇଥିଲେ। କିଛି ସମୟ ପରେ ସେ ଛାତରୁ ତଳକୁ ଖସିପଡ଼ିଥିଲେ। ଘଟଣା ପରେ ଆଶ୍ରମରେ ହଇଚଇ ସୃଷ୍ଟି ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ସର୍ବୋଦୟ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ଶୁକ୍ରବାର ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।

ପୋଲିସ ସୂଚନା ଅନୁସାରେ, ରସିକ ଦୁଲାରୀ ଶରଣ ମହାରାଜଙ୍କ ପୂର୍ବ ନାମ ଦୀପକ ଥିଲା। ସେ ମଧ୍ୟପ୍ରଦେଶର ଜବଲପୁରର ବାସିନ୍ଦା ଥିଲେ। ୨୦୧୫ ସେପ୍ଟେମ୍ବରରେ ସେ ଦୀକ୍ଷା ଗ୍ରହଣ କରିବା ପରେ ତାଙ୍କ ନାମ ରସିକ ଦୁଲାରୀ ଶରଣ ରଖାଯାଇଥିଲା।

ଜଣାପଡ଼ିଛି ଯେ, ୨୦୨୬ ଜୁନ୍‌ରୁ ସେ ଗୁରୁ କୃପା କୁଞ୍ଜରେ ରହୁଥିଲେ। ଏହି ପରିସରରେ ସନ୍ତ ପ୍ରେମାନନ୍ଦ ମହାରାଜଙ୍କ ସହ ଜଡ଼ିତ ପ୍ରାୟ ୫୦ ଜଣ ଶିଷ୍ୟ ମଧ୍ୟ ରହୁଥିବା ସୂଚନା ମିଳିଛି।

ବୃନ୍ଦାବନ ସିଓ ସନ୍ଦୀପ ସିଂହଙ୍କ କହିବା ଅନୁସାରେ, ସର୍ବୋଦୟ ହସ୍ପିଟାଲରୁ ଜଣେ ଯୁବକଙ୍କ ମୃତ୍ୟୁ ସମ୍ପର୍କରେ ପୋଲିସକୁ ସୂଚନା ମିଳିଥିଲା। ଏହାପରେ ମୃତଦେହକୁ ପୋଷ୍ଟମର୍ଟମ୍ ପଠାଯାଇଛି ଏବଂ ପରିବାରଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇ ଦିଆଯାଇଛି।

ପୋଲିସର ପ୍ରାଥମିକ ତଦନ୍ତରେ ଆତ୍ମହତ୍ୟାର ସମ୍ଭାବନା ସାମ୍ନାକୁ ଆସିଥିବା କୁହାଯାଇଛି। ତେବେ ଏହାକୁ ନେଇ ଏବେଠାରୁ କୌଣସି ଚୂଡ଼ାନ୍ତ ନିଷ୍କର୍ଷରେ ପହଞ୍ଚିନାହିଁ ପୋଲିସ। ଘଟଣାସ୍ଥଳର ଫରେନସିକ୍ ଯାଞ୍ଚ, ପୋଷ୍ଟମର୍ଟମ୍ ରିପୋର୍ଟ ଏବଂ ଅନ୍ୟାନ୍ୟ ତଥ୍ୟକୁ ଆଧାର କରି ତଦନ୍ତ ଆଗକୁ ବଢ଼ାଯାଉଛି।

Share In Social Media
Scroll to Top