odisha24 Live

Latest News

Latest News

ବିଶ୍ୱ ବାଣିଜ୍ୟରେ ଭାରତର ବଡ଼ ପଦକ୍ଷେପ, ଗଢ଼ୁଛି ନୂଆ ଆର୍ଥିକ ସେତୁ

ନୂଆଦିଲ୍ଲୀ : ବିଶ୍ୱ ଅର୍ଥନୀତିରେ ବଢ଼ୁଥିବା ଭୂ-ରାଜନୈତିକ ତିକ୍ତତା ଓ ବାଣିଜ୍ୟିକ ବିଭାଜନ ମଧ୍ୟରେ ଭାରତ ନିଜର ଭୂମିକାକୁ ଆହୁରି ସୁଦୃଢ଼ କରିବାକୁ ଚାହୁଁଛି। ବିଭିନ୍ନ ଦେଶ ଓ ବଜାର ମଧ୍ୟରେ ସହଯୋଗ ଓ ବାଣିଜ୍ୟର ନୂଆ ସମ୍ଭାବନା ସୃଷ୍ଟି କରି ଭାରତ ଏକ ‘ବ୍ରିଜ୍ ବିଲ୍ଡର’ ବା ଆର୍ଥିକ ସେତୁ ନିର୍ମାତା ଭାବେ ନିଜକୁ ପ୍ରତିଷ୍ଠିତ କରିବା ଦିଗରେ ଆଗକୁ ବଢ଼ୁଛି। ନୂଆଦିଲ୍ଲୀରେ ବ୍ରିକ୍ସ ବିଜନେସ୍ ଫୋରମର ଲିଡର୍ସ ସେସନ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ବିଶ୍ୱରେ ବାଣିଜ୍ୟିକ ପ୍ରତିବନ୍ଧକ ବଢ଼ୁଥିବା ସମୟରେ ଭାରତ ମୁକ୍ତ ବାଣିଜ୍ୟ ଚୁକ୍ତି, ମଜବୁତ ସପ୍ଲାଏ ଚେନ୍ ଓ ବ୍ୟବସାୟ ପାଇଁ ନୂଆ ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱ ଦେଉଛି।

ମୋଦୀ କହିଛନ୍ତି, ଦେଶଗୁଡ଼ିକ ନିଜ ଘରୋଇ ଶିଳ୍ପକୁ ସୁରକ୍ଷା ଦେବା ପାଇଁ ଟାରିଫ୍, ବିଭିନ୍ନ କଟକଣା ଓ ଅନ୍ୟାନ୍ୟ ବାଣିଜ୍ୟିକ ପ୍ରତିବନ୍ଧକ ବଢ଼ାଇ ଚାଲିଛନ୍ତି। ଏଭଳି ପରିସ୍ଥିତିରେ ଭାରତ ଅଧିକ ଦେଶ ସହ ବାଣିଜ୍ୟ ଚୁକ୍ତି କରି ନିଜର ଆର୍ଥିକ ସମ୍ପର୍କକୁ ଆହୁରି ମଜବୁତ କରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି, “ବିଶ୍ୱରେ ବାଣିଜ୍ୟିକ ପ୍ରତିବନ୍ଧକ ବଢ଼ୁଥିବା ବେଳେ ଭାରତ ଆର୍ଥିକ ସେତୁ ଗଢ଼ୁଛି। ୨୦୧୪ ପରଠାରୁ ଭାରତ ପ୍ରାୟ ୪୦ଟି ଦେଶ ସହ ମୁକ୍ତ ବାଣିଜ୍ୟ ଚୁକ୍ତି କରିଛି।”

ଭାରତର ଏହି ନୀତି କେବଳ ବାଣିଜ୍ୟ ବଢ଼ାଇବା ପାଇଁ ନୁହେଁ, ବରଂ ବିଶ୍ୱରେ ନିବେଶ ପାଇଁ ଏକ ସ୍ଥିର ଓ ଆକର୍ଷଣୀୟ ଗନ୍ତବ୍ୟ ଭାବେ ଭାରତକୁ ଉପସ୍ଥାପନ କରିବା ମଧ୍ୟ ଏହାର ଲକ୍ଷ୍ୟ। ବାଣିଜ୍ୟିକ ପ୍ରତିବନ୍ଧକ କମାଇ ବ୍ୟବସାୟ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବା ଭାରତର ମୁଖ୍ୟ ଆଭିମୁଖ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ।

Share In Social Media
Scroll to Top