
ବ୍ରାଜିଲ : ପୁଣି ଥରେ ନିର୍ବାଚିତ ହୋଇଛନ୍ତି ବ୍ରାଜିଲର ରାଷ୍ଟ୍ରପତି ଲୁଇଜ୍ ଇନାସିୟୋ ଲୁଲା ଡା ସିଲଭା । ଭୋଟ ଗଣତି ସମାପ୍ତ ହେବା ପରେ, ବ୍ରାଜିଲ ନିର୍ବାଚନ କମିସନ ରିପୋର୍ଟ ଦେଇଛନ୍ତି ଯେ, ୮୦ ବର୍ଷୀୟ ଲୁଲା ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଫ୍ଲାଭିଓ ବୋଲସୋନାରୋଙ୍କ ଠାରୁ ୪୪ ଲକ୍ଷ ଭୋଟ୍ରେ ଅର୍ଥାତ୍ ମୋଟ ଭୋଟ୍ର ୫୧.୮ ପ୍ରତିଶତ ଆଗୁଆ ଅଛନ୍ତି। ଲୁଲା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜଣେ କଠୋର ସମାଲୋଚକ ।
ଏହି ବିଜୟ ସହିତ ୱାର୍କର୍ସ ପାର୍ଟିର ସଦସ୍ୟ ଲୁଲା ଦ୍ୱିତୀୟ ସର୍ବାଧିକ ସମୟ ପାଇଁ ରାଷ୍ଟ୍ରପତି ହେବେ। ତାଙ୍କର ବର୍ତ୍ତମାନର କାର୍ଯ୍ୟକାଳ ଶେଷ ସୁଦ୍ଧା କ୍ଷମତାରେ ତାଙ୍କର ମୋଟ କାର୍ଯ୍ୟକାଳ ୧୬ ବର୍ଷରେ ପହଞ୍ଚିବ। ଯାହା ବ୍ରାଜିଲର ଗଣତାନ୍ତ୍ରିକ ଇତିହାସରେ ଏକ ରେକର୍ଡ।
ଲୁଲାଙ୍କ ବିଜୟ ଏପରି ସମୟରେ ଆସିଛି ଯେତେବେଳେ ନିର୍ବାଚନ ପ୍ରଚାର ବେଳେ ମୁଦ୍ରାସ୍ଫୀତି, ଦରଦାମ ବୃଦ୍ଧି, ଅପରାଧ ଏବଂ ଦୁର୍ନୀତି ପ୍ରମୁଖ ପ୍ରସଙ୍ଗ ଥିଲା। ରିପୋର୍ଟ ଅନୁଯାୟୀ, ୧୯୮୮ରେ ପ୍ରତ୍ୟକ୍ଷ ରାଷ୍ଟ୍ରପତି ନିର୍ବାଚନ ଫେରିବା ପରେ ଏହା ପ୍ରଥମ ଥର ଯେ ପ୍ରଥମ ପର୍ଯ୍ୟାୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିବା ସତ୍ତ୍ୱେ ଜଣେ ପ୍ରାର୍ଥୀ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି। ଲୁଲା ୨୦୦୩ ରୁ ୨୦୧୦ ପର୍ଯ୍ୟନ୍ତ ବ୍ରାଜିଲର ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଥିଲେ।
ଲୁଲା ଏପର୍ଯ୍ୟନ୍ତ ତିନିଥର ବ୍ରାଜିଲର ରାଷ୍ଟ୍ରପତି ଅଛନ୍ତି । ସେ ଜାନୁଆରି ୨୦୦୩ ରୁ ଡିସେମ୍ବର ୨୦୧୦ ପର୍ଯ୍ୟନ୍ତ ଲଗାତାର ଦୁଇ ଥର କାର୍ଯ୍ୟ କରିଥିଲେ। ଜାନୁଆରି ୨୦୨୩ ରେ ସେ ତୃତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ। ଚଳିତ ନିର୍ବାଚନର ବିଜୟ ତାଙ୍କ ପାଇଁ ଚତୁର୍ଥ ଥର ରାଷ୍ଟ୍ରପତି ହେବାର ପଥ ପରିଷ୍କାର କରିଛି।
ଲୁଲା ଚାରି ଦଶନ୍ଧି ଧରି ବ୍ରାଜିଲ ରାଜନୀତିରେ ସକ୍ରିୟ ଅଛନ୍ତି । ୧୯୮୯ ମସିହାରେ ତାଙ୍କର ପ୍ରଥମ ରାଷ୍ଟ୍ରପତି ନିର୍ବାଚନ ପରଠାରୁ, ସେ ବ୍ରାଜିଲୀୟ ବାମପନ୍ଥୀ ଦଳର ସବୁଠାରୁ ପ୍ରମୁଖ ନେତା। ନିର୍ବାଚନ ବିଜୟ ପରେ ତାଙ୍କର ନୂତନ କାର୍ଯ୍ୟକାଳ ଜାନୁଆରି ୨୦୨୭ ରେ ଆରମ୍ଭ ହେବ । ଏହି ସମୟ ମଧ୍ୟରେ ସେ ଟ୍ରମ୍ପଙ୍କ ଅସନ୍ତୋଷ ସମେତ ଅନେକ ଅନ୍ତର୍ଜାତୀୟ ଚ୍ୟାଲେଞ୍ଜର ସମ୍ମୁଖୀନ ହେବେ ।





