
ଓ୍ବାଶିଂଟନ : ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ବିବାଦ ତିକ୍ତତା ବୃଦ୍ଧି ପାଇଛି।ଏହି ବିବାଦର କେନ୍ଦ୍ରବିନ୍ଦୁ ପାଲଟିଥିବା ପ୍ରମୁଖ ବାଣିଜ୍ୟିକ ଜଳପଥ ହର୍ମୁଜ ପ୍ରଣାଳୀକୁ ପୁଣିଥରେ ଖୋଲିବା ପାଇଁ ଇରାନ କିଛି ନୂଆ ସର୍ତ୍ତ ରଖିଛି। ଆଉ ଏଥିପାଇଁ ତେହେରାନ ଏହି ପ୍ରଣାଳୀକୁ ପୁଣିଥରେ ଖୋଲିବାର ଦାୟିତ୍ୱ ଆମେରିକାର କୋର୍ଟରେ ରଖିଛନ୍ତି। ଏପରି ସମୟରେ ଆମେରିକୀୟ ଗଣମାଧ୍ୟମ ଦାବି କରିଛି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ପୁନଃସ୍ଥାପିତ କରିବା ପାଇଁ ଇରାନ ସହିତ ପ୍ରସ୍ତାବିତ ପରମାଣୁ ଚୁକ୍ତିକୁ ସ୍ଥଗିତ ରଖିପାରନ୍ତି। ଏପରିକି ଯଦି ଇରାନ୍ ହର୍ମୁଜ ଖୋଲା ରଖେ ତେବେ ଯୁଦ୍ଧ ବନ୍ଦ ହୋଇପାରେ ବୋଲି ପ୍ରକାଶ କରିଛି ଆମେରିକା। ହର୍ମୁଜ ଖୋଲା ରଖିଲେ ବିନା ନ୍ୟୁକ୍ଲିୟର ଡିଲ୍ରେ ଯୁଦ୍ଧ ବନ୍ଦ ଘୋଷଣା ହୋଇପାରେ।ଆମେରିକାର ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲର ରିପୋର୍ଟ ଅନୁସାରେ ନୂଆ ସର୍ତ୍ତ ରଖିଛନ୍ତି ଟ୍ରମ୍ପ। ଯାହା ଫଳରେ ଇରାନ ସହ ଯୁଦ୍ଧ ବନ୍ଦ ଘୋଷଣା କରିବାକୁ ଟ୍ରମ୍ପ ପ୍ରସ୍ତୁତ ଥିବା କୁହାଯାଉଛି।ସୂଚନା ଅନୁଯାୟୀ, ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ରବିବାର କହିଛନ୍ତି ଯେ ହର୍ମୁଜ ସମ୍ପର୍କରେ ଇରାନ ଏବଂ ଓମାନ ମଧ୍ୟରେ ଚୁକ୍ତି ଶେଷ ପର୍ଯ୍ୟାୟରେ ଅଛି। ସେ ଆହୁରି କହିଛନ୍ତି ଯେ ଇରାନର ଅନ୍ୟ ସର୍ତ୍ତ ପୂରଣ ନହେବା ପର୍ଯ୍ୟନ୍ତ ଏହି ପ୍ରଣାଳୀକୁ ଜାହାଜ ଚଳାଚଳ ପାଇଁ ଖୋଲାଯିବ ନାହିଁ।

