
ଭୁବନେଶ୍ୱର : ବିଦେଶ ଯାତ୍ରା ହେବ ଆହୁରି ସହଜ । ପୁଣି ଭୁବନେଶ୍ବର ସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ଆରମ୍ଭ ହେବାକୁ ଯାଉଛି ଆନ୍ତର୍ଜାତିକ ବିମାନ ସେବା । ଆସନ୍ତା ଅକ୍ଟୋବର ୨ରୁ ବ୍ୟାଙ୍କକ୍କୁ ଜୁଲାଇ ୧୮ରୁ ବନ୍ଦ ରହିଥିବା ବିମାନ ସେବା ପୁଣି ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ବୁକିଂ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଭୁବନେଶ୍ବରରୁ ବ୍ୟାଙ୍କକ୍କୁ ବିମାନ ପ୍ରତି ସପ୍ତାହରେ ଥରେ ଉଡ଼ାଣ ଭରିବ ।
ଅକ୍ଟୋବର ୨ରୁ ଭୁବନେଶ୍ୱରରୁ ବ୍ୟାଙ୍କକ୍ ଯାତ୍ରା ପାଇଁ ଟିକେଟ୍ ବୁକିଂ ପ୍ରକ୍ରିୟା ଆରମ୍ଭ ହେବ । ଏହି ଆନ୍ତର୍ଜାତିକ ଉଡ଼ାଣ ପାଇଁ ଭଡ଼ା ପାଖାପାଖି ୧୬ ହଜାର ଟଙ୍କା ରହିଛି । ସପ୍ତାହକୁ ଥରେ ଏହି ରୁଟ୍ରେ ଉଡ଼ାଣ ହେବ । ଶୁକ୍ରବାର ଭୁବନେଶ୍ୱରରୁ ବିମାନ ବ୍ୟାଙ୍କକ୍ ଯିବାକୁ ଥିବା ବେଳେ ଶନିବାର ବ୍ୟାଙ୍କକ୍ରୁ ଭୁବନେଶ୍ୱରକୁ ଫେରିବ ।
ସୂଚନାଯୋଗ୍ୟ, ଜୁଲାଇ ୧୮ରୁ ଭୁବନେଶ୍ୱରରୁ ସମ୍ପୂର୍ଣ୍ଣ ଆନ୍ତର୍ଜାତିକ ବିମାନ ସେବା ଠପ୍ ହୋଇଯାଇଥିଲା । ଏହା ପୂର୍ବରୁ ଭୁବନେଶ୍ୱରରୁ ବ୍ୟାଙ୍କକ୍କୁ ଆନ୍ତର୍ଜାତିକ ବିମାନ ଉଡ଼ାଣ ଭରୁଥିଲା । ଜୁଲାଇ ୧୭ରେ ଭୁବନେଶ୍ୱରରୁ ୬୪ ଜଣଯାତ୍ରୀ ବ୍ୟାଙ୍କକ୍ ଯାତ୍ରା କରିଥିବା ବେଳେ ଜୁଲାଇ ୧୮ରେ ୧୪୦ ଜଣ ଯାତ୍ରୀ ବ୍ୟାଙ୍କକ୍ରୁ ଭୁବନେଶ୍ୱର ଆସିଥିଲେ । ଏହାପର ଠାରୁ ଏହି ରୁଟ୍ରେ ସେବା ବନ୍ଦ ରହିଛି ।
ଆନ୍ତର୍ଜାତିକ ବିମାନ ସେବା ବନ୍ଦ ହେବାର ପ୍ରଭାବ ଯାତ୍ରୀଙ୍କ ସହିତ ଓଡ଼ିଶାର ପର୍ଯ୍ୟଟନ ଓ ବ୍ୟବସାୟ କ୍ଷେତ୍ର ଉପରେ ମଧ୍ୟ ପଡ଼ିଛି । ଭୁବନେଶ୍ୱରରୁ ବିଦେଶ ଯାତ୍ରା କରୁଥିବା ଅନେକ ଯାତ୍ରୀ ବର୍ତ୍ତମାନ କୋଲକାତା ଭଳି ଅନ୍ୟ ସହରରୁ ଟିକେଟ୍ କରିବାକୁ ବାଧ୍ୟ ହେଉଛନ୍ତି । ଏଥିପାଇଁ ଅତିରିକ୍ତ ସମୟ ଓ ଖର୍ଚ୍ଚ ବହନ କରିବାକୁ ପଡୁଛି ବୋଲି ଟ୍ରାଭେଲ ଏଜେନ୍ସି କହିଛନ୍ତି ।
ଭୁବନେଶ୍ୱର ବିମାନବନ୍ଦରରେ ଯାତ୍ରୀ ଚାହିଦା ମଧ୍ୟ ବେଶ୍ ଉଲ୍ଲେଖନୀୟ । ୨୦୨୨ ଜୁଲାଇରେ ବିମାନବନ୍ଦରରୁ ୨,୧୮୭ଟି ବିମାନ ଚଳାଚଳ କରିଥିଲା । ମୋଟ ୨ ଲକ୍ଷ ୪୫ ହଜାର ୨୩୨ ଜଣ ଯାତ୍ରୀ ଯାତ୍ରା କରିଥିଲେ । ୨୦୨୩ ମସିହା ଜୁଲାଇରେ ବିମାନ ଚଳାଚଳ ସଂଖ୍ୟା ୨,୮୮୫କୁ ବୃଦ୍ଧି ପାଇଥିଲା ଏବଂ ଯାତ୍ରୀ ସଂଖ୍ୟା ୩ ଲକ୍ଷ ୬୩ ହଜାର ୫୭୬ରେ ପହଞ୍ଚିଥିଲା । ବର୍ତ୍ତମାନ ଭୁବନେଶ୍ୱର ବିମାନବନ୍ଦରରୁ ଦୈନିକ ପ୍ରାୟ ୯୦ରୁ ୧୦୦ଟି ବିମାନ ଚଳାଚଳ କରୁଥିବା ବେଳେ ପ୍ରାୟ ୧୨ରୁ ୧୫ ହଜାର ଯାତ୍ରୀ ଯାତ୍ରା କରୁଛନ୍ତି ।





