
ଭୁବନେଶ୍ୱର : ଆରମ୍ଭ ହେଲାଣି ପାର୍ବଣ ଋତୁ। ଆଉ ଏହି ସମୟରେ ବିଭିନ୍ନ ଅଞ୍ଚଳରେ ଉତ୍ସାହ ଲାଗି ରହିବ। ଏବେ ଗଣେଶ ପୂଜା ଶେଷ ହୋଇଛି। ଆଗକୁ ଦଶହରା, ଲକ୍ଷ୍ମୀପୂଜା ଓ କାଳୀପୂଜା ଆସୁଛି। ପାର୍ବଣକୁ ନେଇ ଚାରିଆଡେ ଉତ୍ସାହ ଲାଗି ରହିଥିବା ବେଳେ କମିସନରେଟ ପୋଲିସ ପକ୍ଷରୁ ଡିଜେକୁ ନିଷେଧ କରାଯାଇଛି। ସେହିପରି ହାଇକୋର୍ଟ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି। ଡିଜେ ନିଷେଧ ସତ୍ତ୍ବେ ରାଜରାସ୍ତାରେ ଶବ୍ଦର ତାଣ୍ଡବ ଶୁଣିବାକୁ ମିଳୁଛି। ଅନୁମତି ଦେବାପରେ ଶବ୍ଦ ପ୍ରଦୂଷଣର ଯାଞ୍ଚ ହେଉ ନଥିବାରୁ ଏଥିରେ ରୋକ୍ ଲାଗି ପାରୁନାହିଁ।
ଓଡିଶାରେ ଡିଜେ, ମୋଡିଫାଏଡ୍ ସାଉଣ୍ଡ ସିଷ୍ଟମ୍ ଏବଂ ଲେଜର ଲାଇଟ୍ ବ୍ୟବହାର ଉପରେ ହାଇକୋର୍ଟ ଓ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା କଟକଣା ଜାରି କରାଯାଇଛି। ପାର୍ବଣ ଓ ଶୋଭାଯାତ୍ରା ସମୟରେ ହେଉଥିବା ଅତ୍ୟଧିକ ଶବ୍ଦ ପ୍ରଦୂଷଣକୁ ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ୬ ସପ୍ତାହ ମଧ୍ୟରେ ଗାଇଡଲାଇନ୍ ଆଣିବା ନେଇ ସୁନିଶ୍ଚିତ କରିବାକୁ ଜଗତସିଂହପୁର ଏସ୍ ଡିଏମ୍ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ବିଚାରପତି ଜଷ୍ଟିସ ଆର୍ .କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଗନ୍ନାଥ ଟେଣ୍ଟ ଲାଇଟ୍ ଆଣ୍ଡ ସାଉଣ୍ଡ ଓନର୍ସ ଆସୋସିଏସନ୍ ର ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।





