odisha24 Live

Latest News

Latest News

୨୬ରେ ବାତ୍ୟା, ୨୮ରେ ଲ୍ୟାଣ୍ଡଫଲ୍‌: ହାଇଆଲର୍ଟରେ ଓଡ଼ିଶା

ଭୁବନେଶ୍ବର : ବଙ୍ଗୋପସାଗରରେ ଆସୁଛି ବାତ୍ୟା। ବିଦେଶୀ ମଡେଲ୍‌ ଓ ପାଣିପାଗ ବିଶେଷଜ୍ଞଙ୍କ ଆକଳନ ସହ ଆଜି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଏକମତ ହୋଇଛି। ବିଭାଗ ସ୍ପଷ୍ଟ କରିଛି ଯେ ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଅଧିକ ଘନୀଭୂତ ହୋଇ ୨୪ ତାରିଖ (ଶନିବାର) ଅବପାତ ଓ ୨୫ ତାରିଖରେ ଗଭୀର ଅବପାତରେ ପରିଣତ ହେବ। ଏହାପରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ୨୬ ତାରିଖ ସକାଳେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେବ। ପରବର୍ତ୍ତୀ ଦୁଇ ଦିନ ଅର୍ଥାତ ୨୭ ଓ ୨୮ ତାରିଖରେ ଅଧିକ ଘନୀଭୂତ ହେବା ସହ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ବାତ୍ୟା ରୂପ ନେଲେ ଏହାର ନାମ ‘ଅର୍ଣ୍ଣବ’ ରହିବ ବୋଲି ଜଣାପଡ଼ିଛି।
ଶ୍ରୀ ମହାପାତ୍ର ଆହୁରି କହିଛନ୍ତି ଯେ ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ବଢ଼ିବ। ଏବେ ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ପବନର ଘଣ୍ଟାପ୍ରତି ବେଗ ୩୫ରୁ ୪୫ କିଲୋମିଟର (କିମି) ରହିଛି। ଶନିବାର ସନ୍ଧ୍ୟା ସୁଦ୍ଧା ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିମି ଓ ଝଟକା ପବନର ବେଗ ୬୫ କିମି ଏବଂ ୨୫ ତାରିଖ ସନ୍ଧ୍ୟା ସୁଦ୍ଧା ପୂର୍ବ-କେନ୍ଦ୍ରୀୟ, ପଶ୍ଚିମ-କେନ୍ଦ୍ରୀୟ ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିମି ଏବଂ ଝଟକା ପବନର ବେଗ ୭୦ କିମି ରହିପାରେ। ଅକ୍ଟୋବର ୨୬ରେ ବାତ୍ୟା ହେବା ବେଳକୁ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିମି ଓ ଝଟକା ପବନର ବେଗ ୯୦ କିଲୋମିଟର ଛୁଇଁପାରେ। ୨୭ ତାରିଖ ବେଳକୁ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ଓ ଝଟକା ପବନର ବେଗ ୬୦ କିମି ଛୁଇଁପାରେ। ୨୮ ତାରିଖ ପର୍ଯ୍ୟନ୍ତ ପବନର ତୀବ୍ରତା ବୃଦ୍ଧି ପାଇବାର ଆଶଙ୍କା ରହିଛି। ୨୪ ତାରିଖଠାରୁ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିବ। ୨୬ ତାରିଖ ସକାଳଠାରୁ ୨୮ ତାରିଖ ମଧ୍ୟରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଉଚ୍ଚ ଜୁଆର ଏବଂ ବଡ଼ ଢେଉ ସୃଷ୍ଟି ହେବାର ଆଶଙ୍କା ରହିଛି। ୨୭ ଓ ୨୮ ତାରିଖରେ ଆନ୍ଧ୍ର-ଓଡ଼ିଶା ଉପକୂଳରେ ଉଚ୍ଚ ଜୁଆର ଆସିବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ତେଣୁ ଯେଉଁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରେ ରହିଛନ୍ତି ସେମାନେ ଶନିବାର ସନ୍ଧ୍ୟା ସୁଦ୍ଧା ଫେରି ଆସିବାକୁ ପରାମର୍ଶ ଦିଆଯାଇଛି।

Share In Social Media
Scroll to Top