
ଭୁବନେଶ୍ୱର : ଟ୍ୱିନ୍ ସିଟିରେ ପ୍ରବଳ ବର୍ଷା । ଭୁବନେଶ୍ୱର ଓ କଟକରେ ବର୍ଷା ଜାରି । ସକାଳୁ ଆକାଶ ମେଘାଚ୍ଛନ୍ନ ରହିଥିବା ବେଳେ ବିଭିନ୍ନ ଅଞ୍ଚଳରେ ମୂଷଳଧାରାରେ ବର୍ଷା ଲାଗି ରହିଛି । ବର୍ଷା ଯୋଗୁଁ ରାସ୍ତାରେ ଯାନବାହନ ଚଳାଚଳ ପ୍ରଭାବିତ ହେଉଛି । ବିଶେଷକରି ଜଳ ନିଷ୍କାସନ ସମସ୍ୟା ଥିବା ଅଞ୍ଚଳରେ ପାଣି ଜମିବାର ଆଶଙ୍କା ବଢ଼ୁଛି ।
ଭୁବନେଶ୍ୱର ସିଆରପି ଛକ ନିକଟ ଜାତୀୟ ରାଜପଥରେ ପୂର୍ବରୁ ଜଳବନ୍ଦୀ ସମସ୍ୟା ଦେଖାଦେଇଥିବାରୁ ଲଗାଣ ବର୍ଷା ଏବେ ଚିନ୍ତା ବଢ଼ାଉଛି । କଟକରେ ମଧ୍ୟ ବର୍ଷାର ପ୍ରକୋପ ଜାରି ରହିଛି । ସହରର ବିଭିନ୍ନ ଅଞ୍ଚଳରେ ବର୍ଷା ଯୋଗୁ ଜୀବନଯାତ୍ରା ପ୍ରଭାବିତ ହେଉଛି । ଲଗାଣ ବର୍ଷା ଯୋଗୁ ତଳିଆ ଅଞ୍ଚଳରେ ପାଣି ଜମିବାର ଆଶଙ୍କା ରହିଛି । ଉଭୟ ସହରରେ ବର୍ଷା ଜାରି ରହିଥିବାରୁ ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ଚାପ ବଢ଼ିପାରେ । ଗତକାଲି ଭୁବନେଶ୍ୱରରେ ପ୍ରାୟ ୨୪ ମିଲିମିଟର ଏବଂ କଟକରେ ୬.୮ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା । ଏବେ ମଧ୍ୟ ବର୍ଷା ଲାଗି ରହିଥିବାରୁ ଲୋକଙ୍କ ସମସ୍ୟା ବଢ଼ୁଛି ।
ଭୁବନେଶ୍ୱର ଓ କଟକ ମହାନଗର ନିଗମ ସତର୍କ ରହିଛନ୍ତି । ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ପମ୍ପସେଟ୍ ପ୍ରସ୍ତୁତ ରଖାଯାଇଛି । ବିପଦପୂର୍ଣ୍ଣ ହୋର୍ଡିଂ ଓ ତୋରଣ ହଟାଇବା ସହ ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ନଜର ରଖାଯାଉଛି। ବାତ୍ୟା ଓ ବର୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । କଟକରେ ସ୍କୁଲ୍, କଲେଜ, ଆଇଟିଆଇ, ପଲିଟେକ୍ନିକ୍, ବିଶ୍ୱବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରହିଛି ।
ବାତ୍ୟା ପରବର୍ତ୍ତୀ ବର୍ଷା ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ପ୍ରଶାସନ ମଧ୍ୟ ସଜାଗ ରହିଛି । ବିପଦପ୍ରବଣ ଅଞ୍ଚଳରୁ ପ୍ରାୟ ୪୮ ହଜାର ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତୁତି କରାଯାଇଛି । ଏଥିପାଇଁ ୧୩୫ଟି ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ଓ ପ୍ରାୟ ୧୬୦୦ଟି ଅସ୍ଥାୟୀ ଆଶ୍ରୟସ୍ଥଳ ପ୍ରସ୍ତୁତ ରଖାଯାଇଛି । ଉଦ୍ଧାର ଓ ଜରୁରୀକାଳୀନ ସେବା ପାଇଁ ଏନ୍ ଡିଆର୍ ଏଫ୍, ଏସ୍ ଡିଆର୍ ଏଫ୍ ଏବଂ ଅଗ୍ନିଶମ ବାହିନୀର ମୋଟ ୨୯୪ଟି ଟିମ୍ ମୁତୟନ ରହିଥିବା ସୂଚନା ମିଳିଛି ।





