
ଛତିଶଗଡ଼ : ଏକ ଭୟଙ୍କର ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଦିଲ୍ଲୀରୁ ଆସିଥିବା ଆଲାଏନ୍ସ ଏୟାରର ଏକ ବିମାନ ଲ୍ୟାଣ୍ଡିଂ ସମୟରେ ହଠାତ୍ ଏହାର ଡାହାଣ ପଟର ଚକା ଫାଟିଯାଇଥିଲା । ଚକା ଫାଟିବା ସହିତ ନିଆଁ ମଧ୍ୟ ଲାଗିଯାଇଥିଲା । ଏହାପରେ ବିମାନଟି କିଛି ଦୂର ପର୍ଯ୍ୟନ୍ତ ରନୱେରେ ଘୋଷାଡ଼ି ହୋଇ ଯାଇଥିଲା । ଏହି ଘଟଣା ଫଳରେ ବିମାନରେ ଥିବା ୬୦ ଜଣ ଯାତ୍ରୀ ଭୟଭୀତ ଅବସ୍ଥାରେ ରହିଥିଲେ । ହେଲେ ସମୟ ପୂର୍ବରୁ ବିମାନକୁ ସୁରକ୍ଷିତ ଭାବେ ରୋକାଯାଇ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ।
ଖବର ମୁତାବକ, ଆଲାଏନ୍ସ ଏୟାରର ଏକ ବିମାନଟି ଶୁକ୍ରବାର ସକାଳ ପ୍ରାୟ ୧୦ଟା ୫୫ ମିନିଟ୍ରେ ଦିଲ୍ଲୀରୁ ବିଳାସପୁର ଅଭିମୁଖେ ଉଡ଼ାଣ ଭରିଥିଲା । ପ୍ରାୟ ଅଢ଼େଇ ଘଣ୍ଟାର ଯାତ୍ରା ପରେ ବିମାନଟି ବିଲାସା ଦେବୀ କେବଟ ବିମାନବନ୍ଦରରେ ଅବତରଣ କରୁଥିବା ବେଳେ ହଠାତ୍ ଡାହାଣ ପଟର ଚକା ଫାଟିଯାଇଥିଲା । ଚକା ଫାଟିବା ପରେ ସେଠାରେ ନିଆଁ ଦେଖାଯାଇଥିଲା । ଏହାପରେ ବିମାନଟି ରନୱେରେ କିଛି ଦୂର ପର୍ଯ୍ୟନ୍ତ ଘୋଷାଡ଼ି ହୋଇ ଯାଇଥିଲା ।
ଏହି ଘଟଣା ଯୋଗୁଁ ବିମାନରେ ଥିବା ୬୦ ଜଣ ଯାତ୍ରୀ ଭୟଭୀତ ହୋଇଯାଇଥିଲେ । ତେବେ ପାଇଲଟ ତୁରନ୍ତ ପଦକ୍ଷେପ ଓ ସତର୍କତା ଯୋଗୁଁ ବିମାନକୁ ସୁରକ୍ଷିତ ଭାବେ ଅଟକାଯାଇପାରିଥିଲା । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ବାହାର କରାଯାଇଛି । ବିମାନରେ ଥିବା ସମସ୍ତ ୬୦ ଜଣ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି । କୌଣସି ଯାତ୍ରୀ ଆହତ ହୋଇଥିବା ଖବର ମିଳିନାହିଁ । ଘଟଣା ପରେ ବିମାନବନ୍ଦରର ସୁରକ୍ଷା ଓ ବୈଷୟିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବିମାନର ଯାଞ୍ଚ ଆରମ୍ଭ କରିଛନ୍ତି ।





