odisha24 Live

Latest News

Latest News

ଦେଶଭକ୍ତି ଓ ବଳିଦାନର କାହାଣୀ: ରିଲିଜ୍ ହେଲା ‘ମାତୃଭୂମି’ର ଧମାକାଦାର ଟ୍ରେଲର

ମୁମ୍ବାଇ : ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ଆଗାମୀ ଯୁଦ୍ଧଭିତ୍ତିକ ଚଳଚ୍ଚିତ୍ର ‘ମାତୃଭୂମି: ମେ ୱାର୍ ରେଷ୍ଟ ଇନ୍ ପିସ୍’କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି । ନଭେମ୍ବର ୧୦ ତାରିଖରେ ଏହାର ଟ୍ରେଲର ଆନୁଷ୍ଠାନିକ ଭାବେ ରିଲିଜ୍ ହୋଇଛି । ଟ୍ରେଲରରେ ସଲମାନଙ୍କ ଦମ୍ଦାର ଅଭିନୟ ସହ ଯୁଦ୍ଧକ୍ଷେତ୍ରର ରୋମାଞ୍ଚକର ଦୃଶ୍ୟ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏହି ଚଳଚ୍ଚିତ୍ର ଡିସେମ୍ବର ୪ ତାରିଖରେ ପ୍ରେକ୍ଷାଳୟକୁ ଆସିବ ।

ଚଳଚ୍ଚିତ୍ରର ଟ୍ରେଲରରେ ସଲମାନ ଖାନଙ୍କୁ ଜଣେ ସାମରିକ ଅଧିକାରୀଙ୍କ ଭୂମିକାରେ ଦେଖିବାକୁ ମିଳିଛି । ତୀବ୍ର ଆକ୍ସନ୍ ଦୃଶ୍ୟ, ହାତାହାତି ଲଢ଼େଇ ଏବଂ ଆକର୍ଷଣୀୟ ଦୃଶ୍ୟାୟନ ଟ୍ରେଲରକୁ ଆହୁରି ରୋମାଞ୍ଚକର କରିଛି । ଦେଶପ୍ରେମ, ସାହସ ଓ ସୈନିକଙ୍କ ବଳିଦାନକୁ ଆଧାର କରି ଚଳଚ୍ଚିତ୍ରଟିର କାହାଣୀ ଗତିଶୀଳ ହୋଇଛି । ତେବେ ଏହା କେବଳ ଯୁଦ୍ଧ ଓ ଆକ୍ସନ୍ର କାହାଣୀ ନୁହେଁ । ଯୁଦ୍ଧର ଭୟାବହ ପରିଣାମ ଏବଂ ଏହା ମାନବ ସମାଜ ଉପରେ ପକାଉଥିବା ପ୍ରଭାବକୁ ମଧ୍ୟ ଚଳଚ୍ଚିତ୍ରରେ ଗୁରୁତ୍ୱ ଦିଆଯାଇଛି । ଯୁଦ୍ଧରେ ଉଭୟ ପକ୍ଷର ଜୀବନହାନି ହେବା ସହ ପରିବାର ଭାଙ୍ଗିଯାଏ ଏବଂ ଏହାର ଯନ୍ତ୍ରଣା ପିଢ଼ି ପରେ ପିଢ଼ି ଅନୁଭୂତ ହୁଏ । ଶାନ୍ତିର ମହତ୍ତ୍ୱକୁ ଉପସ୍ଥାପନ କରିବା ହେଉଛି ଏହି ଚଳଚ୍ଚିତ୍ରର ଅନ୍ୟତମ ମୁଖ୍ୟ ବାର୍ତ୍ତା ।

ରିପୋର୍ଟ ଅନୁଯାୟୀ, ଚଳଚ୍ଚିତ୍ରର ଟ୍ରେଲରକୁ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (CBFC) ପକ୍ଷରୁ U/A ପ୍ରମାଣପତ୍ର ମିଳିଛି । ଟ୍ରେଲରର ମୋଟ ଅବଧି ୪ ମିନିଟ୍ ୪୩ ସେକେଣ୍ଡ ରହିଛି । ଟ୍ରେଲର ରିଲିଜ୍ ହେବା ପରେ ସୋସିଆଲ ମିଡିଆରେ ସଲମାନଙ୍କ ଲୁକ୍ ଓ ଅଭିନୟକୁ ନେଇ ପ୍ରଶଂସକମାନେ ଉତ୍ସାହ ପ୍ରକାଶ କରୁଛନ୍ତି । ଅପୂର୍ବ ଲଖିଆଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ପ୍ରାରମ୍ଭିକ ନାମ ‘ବ୍ୟାଟେଲ୍ ଅଫ୍ ଗଲୱାନ୍’ ରଖାଯାଇଥିଲା । ୨୦୨୦ ମସିହାରେ ଲଦାଖର ଗଲୱାନ୍ ଉପତ୍ୟକାରେ ଭାରତୀୟ ଓ ଚୀନ୍ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ଘଟଣାକୁ ଆଧାର କରି ଏହାର କାହାଣୀ ପ୍ରସ୍ତୁତ କରାଯାଇଛି ।

Share In Social Media
Scroll to Top