
ଓଟାୱା : କରୋନା ମହାମାରୀର ଭୟ ମନରୁ ନଲିଭୁଣୁ ପୁଣି ଥରେ ନୂଆ ରୂପରେ ସାମ୍ନାକୁ ଆସିଛି କରୋନା ଭାଇରସ୍। କରୋନାର ନୂଆ ଭାରିଆଣ୍ଟ PJ.2.1 ଏକାଧିକ ଦେଶରେ ଚିହ୍ନଟ ହେବା ପରେ ବଢିଲା ଚର୍ଚ୍ଚା । ରିପୋର୍ଟ ଅନୁସାରେ, ମେ’ ୨୦୨୬ରେ କାନାଡାର ଅଣ୍ଟାରିଓରେ ଏହା ପ୍ରଥମେ ଚିହ୍ନଟ ହୋଇଥିଲା । ପରବର୍ତ୍ତୀ ସମୟରେ ଆମେରିକା, ୟୁରୋପ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଏସିଆର କିଛି ଅଞ୍ଚଳରେ ମଧ୍ୟ ଏହାର ଉପସ୍ଥିତି ମିଳିଛି ।
ତେବେ ଏହା ପୂର୍ବ ଭାରିଆଣ୍ଟ ଅପେକ୍ଷା ଅଧିକ ଗୁରୁତର ରୋଗ କିମ୍ବା ଅଧିକ ମୃତ୍ୟୁ ଘଟାଉଛି ବୋଲି ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ପ୍ରମାଣ ନାହିଁ । ଏହି ଭାରିଆଣ୍ଟକୁ ନେଇ ଚର୍ଚ୍ଚାର କାରଣ ହେଉଛି ଏହାର ସ୍ପାଇକ୍ ପ୍ରୋଟିନ୍ ରେ ହୋଇଥିବା ଅନେକ ଜିନଗତ ପରିବର୍ତ୍ତନ ।
ଏହି ପ୍ରୋଟିନ୍ ସାହାଯ୍ୟରେ ଭୂତାଣୁ ମଣିଷର କୋଷରେ ପ୍ରବେଶ କରେ । କୋଭିଡ୍ ର ଲକ୍ଷଣ ସାଧାରଣ ଥଣ୍ଡା ଓ ଜ୍ବର ସହ ମେଳ ଖାଇପାରେ । ତେଣୁ ଜ୍ୱର, କାଶ କିମ୍ବା ଗଳାବଥାକୁ ଦେଖି କେଉଁ ଭୂତାଣୁର ସଂକ୍ରମଣ ହୋଇଛି, ତାହା ନିଶ୍ଚିତ କରିବା କଷ୍ଟକର ।





