odisha24 Live

Latest News

Latest News

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ହଲିଉଡ ଓ ବିଶ୍ୱ ବଧିର ସମ୍ପ୍ରଦାୟ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ‘ଗୋଡଜିଲା ଭର୍ସେସ କଙ୍ଗ’ ଏବଂ ‘ଗୋଡଜିଲା ଏକ୍ସ କଙ୍ଗ: ଦି ନ୍ୟୁ ଏମ୍ପାୟାର’ରେ ଜିଆ ଚରିତ୍ରରେ ଅଭିନୟ କରି ବିଶ୍ୱବ୍ୟାପୀ ପରିଚିତି ହାସଲ କରିଥିବା ୧୮ ବର୍ଷୀୟା ବଧିର ଅଭିନେତ୍ରୀ କେଲି ହଟଲଙ୍କର ସଡ଼କ ଦୁର୍ଘଟଣାରେ ଦେହାନ୍ତ ହୋଇଛି।

ମେରୀଲ୍ୟାଣ୍ଡର ଫ୍ରେଡେରିକ ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାରେ କେଲି କାରରେ ଯାତ୍ରୀ ଭାବେ ଥିଲେ। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଟ୍ରମା ସେଣ୍ଟରକୁ ନିଆଯାଇଥିଲେ ମଧ୍ୟ ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରିନଥିଲେ। ପ୍ରାଥମିକ ତଦନ୍ତରୁ କାରର ଅତ୍ୟଧିକ ବେଗ ଦୁର୍ଘଟଣାର ସମ୍ଭାବ୍ୟ କାରଣ ବୋଲି ଜଣାପଡ଼ିଛି।

କେଲିଙ୍କ ପିତା ଜୋଶୁଆ ହଟଲ ଆମେରିକୀୟ ସାଇନ୍ ଲାଙ୍ଗୁଏଜ୍ (ASL) ମାଧ୍ୟମରେ ଫେସବୁକ୍ ଲାଇଭ୍ କରି ଝିଅଙ୍କ ମୃତ୍ୟୁ ଖବର ସେୟାର କରିଥିଲେ। ଟେକ୍ସାସ ସ୍କୁଲ ଫର ଦି ଡିଫ୍ ମଧ୍ୟ ଏହି ଖବରକୁ ନିଶ୍ଚିତ କରି ପରିବାରର ଗୋପନୀୟତାକୁ ସମ୍ମାନ ଦେବାକୁ ସମସ୍ତଙ୍କୁ ଅନୁରୋଧ କରିଛି। ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ପାଇଁ କାଉନସେଲିଂ ବ୍ୟବସ୍ଥା ମଧ୍ୟ କରାଯାଇଛି।

ବଧିର ପରିବାରରେ ଜନ୍ମିତ କେଲି ୨୦୨୧ରେ ‘ଗୋଡଜିଲା ଭର୍ସେସ କଙ୍ଗ’ ମାଧ୍ୟମରେ ହଲିଉଡରେ ପାଦ ଥାପିଥିଲେ। ଜିଆ ଚରିତ୍ରରେ ତାଙ୍କ ଅଭିନୟ ଏବଂ ସାଇନ୍ ଲାଙ୍ଗୁଏଜ୍ ମାଧ୍ୟମରେ କଙ୍ଗ ସହ ତାଙ୍କର ସମ୍ପର୍କ ପ୍ରଶଂସକଙ୍କ ମନ ଜିତିଥିଲା। ୨୦୨୪ରେ ମୁକ୍ତିଲାଭ କରିଥିବା ‘ଗୋଡଜିଲା ଏକ୍ସ କଙ୍ଗ: ଦି ନ୍ୟୁ ଏମ୍ପାୟାର’ରେ ମଧ୍ୟ ସେ ଏହି ଚରିତ୍ରରେ ଅଭିନୟ କରିଥିଲେ।

ତାଙ୍କ ଅଭିନୟ ପାଇଁ ସେ ସାଟର୍ନ ଆୱାର୍ଡସରେ ମନୋନୀତ ହୋଇଥିଲେ। ଏହା ସହ ‘ମ୍ୟାଗନମ୍ ପି.ଆଇ.’ ଟିଭି ସିରିଜରେ ମଧ୍ୟ ସେ ନଜର ଆସିଥିଲେ। କେଲିଙ୍କ ଅକାଳ ବିୟୋଗରେ ହଲିଉଡ, ସହ-କଳାକାର ଓ ବିଶ୍ୱର ଅସଂଖ୍ୟ ପ୍ରଶଂସକ ଶୋକ ପ୍ରକାଶ କରୁଛନ୍ତି।

Share In Social Media
Scroll to Top