
ଭୁବନେଶ୍ୱର : ‘ନକ୍ସଲ ହୁଅନ୍ତୁ କିମ୍ବା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ କିମ୍ବା ଯେକୌଣସି ଅପରାଧୀ । ଅପରାଧୀଙ୍କୁ ସେମାନଙ୍କ ଭାଷାରେ ହିଁ ଜବାବ୍ ଦିଆଯିବ । ଏଥିପାଇଁ ପୋଲିସ ଶହୀଦ ହେବା ପାଇଁ ବି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ଆଜି(ବୁଧବାର) କଟକ ପୋଲିସ ମୁଖ୍ୟାଳୟରେ ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳନ ଅବସରରେ ଅପରାଧ କିମ୍ବା ସଙ୍ଗଠିତ ଅପରାଧୀଙ୍କୁ କଡା ଚେତାବନୀ ଦେଇଛନ୍ତି ପୋଲିସ ଡିଜି ବିନୟତୋଷ ମିଶ୍ର ।
ଆଜି ରାଜ୍ୟ ପୋଲିସ ମୁଖ୍ୟାଳୟ ପରିସରରେ ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି l ଏଥିରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶ ତଥା ମାତୃଭୂମିର ସୁରକ୍ଷା ଓ ସମ୍ମାନ ପାଇଁ କର୍ମକ୍ଷେତ୍ରରେ ଶହୀଦ ହୋଇଥିବା ବୀର ମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l
ଏହି ଅବସରରେ ଡିଜିପି ବିନୟତୋଷ ମିଶ୍ର କହିଥିଲେ, ‘୧୯୫୯ ମସିହା ଅକ୍ଟୋବର ୨୧ ତାରିଖରେ ଲଦାଖ ଅଞ୍ଚଳରେ ଚୀନ ସୈନ୍ୟଙ୍କ ସହ ଲଢ଼େଇ କରି ୧୦ ଜଣ ସିଆରପିଏଫ୍ ଯବାନ ଶହୀଦ ହୋଇଥିଲେ । ସେହି ବୀର ଯବାନଙ୍କ ଅଦମ୍ୟ ସାହସ ଓ ସର୍ବୋଚ୍ଚ ବଳିଦାନର ସ୍ମୃତିରେ ପ୍ରତିବର୍ଷ ଅକ୍ଟୋବର ୨୧ ତାରିଖରେ ସମଗ୍ର ଦେଶରେ ପୋଲିସ ଶହୀଦ ସ୍ମୃତି ଦିବସ ପାଳନ କରାଯାଉଛି ।’
ଚଳିତ ବର୍ଷ ଦେଶର ବିଭିନ୍ନ ରାଜ୍ୟ ପୋଲିସ ଓ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳର ୧୫୪ ଜଣ ଯବାନ କର୍ତ୍ତବ୍ୟ ସମ୍ପାଦନ ସମୟରେ ପ୍ରାଣବଳି ଦେଇଛନ୍ତି । ଡିଜିପି ଅମର ଶହୀଦଙ୍କ ଅତୁଳନୀୟ ତ୍ୟାଗ ଓ କର୍ତ୍ତବ୍ୟନିଷ୍ଠାକୁ ସ୍ମରଣ କରିବା ସହ ସେମାନଙ୍କ ବଳିଦାନ ସମଗ୍ର ପୋଲିସ ବାହିନୀ ପାଇଁ ଚିରକାଳ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି କହିଥିଲେ ।
ଓଡ଼ିଶାରେ ମାଓବାଦୀ ବିରୋଧୀ ଅଭିଯାନ ସମୟରେ ଶହୀଦ ହୋଇଥିବା ଓଡ଼ିଶା ପୋଲିସ ଏବଂ ଅର୍ଦ୍ଧସାମରିକ ବାହିନୀର ବୀର ଯବାନମାନଙ୍କ ବଳିଦାନକୁ ସ୍ମରଣ କରି ଡିଜିପି ସେମାନଙ୍କ ପ୍ରତି ଗଭୀର ସମ୍ମାନ ଜଣାଇଥିଲେ। ସେମାନଙ୍କ ସାହସ, ତ୍ୟାଗ ଓ ନିରନ୍ତର ପ୍ରୟାସ ଯୋଗୁଁ ରାଜ୍ୟରେ ମାଓବାଦୀ ହିଂସାର ମୁକାବିଲା କରି ଶାନ୍ତି ପ୍ରତିଷ୍ଠା ସମ୍ଭବ ହୋଇଛି । ଏହି ବୀର ଯବାନଙ୍କ ପରିବାରବର୍ଗଙ୍କ ତ୍ୟାଗ ଓ ଧୈର୍ଯ୍ୟକୁ ସେ ସମ୍ମାନ ଜଣାଇଥିଲେ ।
ଡିଜିପି କହିଥିଲେ ଯେ, ବର୍ତ୍ତମାନ ପୋଲିସର ଦାୟିତ୍ୱ କେବଳ ଅପରାଧ ନିୟନ୍ତ୍ରଣରେ ସୀମିତ ନୁହେଁ। ଆତଙ୍କବାଦ, ମାଓବାଦ, ସଂଗଠିତ ଅପରାଧ, ସାଇବର ଅପରାଧ ଓ ନିଶାଦ୍ରବ୍ୟ ଚୋରାଚାଲାଣର ମୁକାବିଲା ସହ ମହିଳା ଓ ଶିଶୁଙ୍କ ସୁରକ୍ଷା, ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ଆଇନଶୃଙ୍ଖଳା ରକ୍ଷା ଭଳି ଅନେକ ଆହ୍ୱାନର ସାମ୍ନା କରିବାକୁ ପଡ଼ୁଛି ।




