
ମୁମ୍ବାଇ : ଭାରତୀୟ ଦଳ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଶେଷ ମ୍ୟାଚ୍ ଥିଲା ୨୦୨୬ ଟି-୨୦ ବିଶ୍ଵକପ୍। ୨୦୨୬ ମାର୍ଚ୍ଚରେ ସେ ଭାରତ ପାଇଁ ଫାଇନାଲ୍ ମ୍ୟାଚ୍ ଖେଳିଥିଲେ। ଶେଷ ଦିନିକିଆ ମ୍ୟାଚ୍ ୨୦୨୫ ମାର୍ଚ୍ଚରେ ଖେଳିଥିଲେ। କିନ୍ତୁ ୨୦୨୬ ଆଇପିଏଲ୍ ସେ ଖେଳିଥିଲେ। ହେଲେ ତା ପରଠୁ କ୍ରିକେଟ୍ ମଇଦାନରୁ ଦୂରରେ ଅଛନ୍ତି ଭାରତର ଏହି ଷ୍ଟାର ଅଲରାଉଣ୍ଡର। ତାଙ୍କର ବର୍ତ୍ତମାନ ନିକଟ ଭବିଷ୍ୟତରେ ମଇଦାନକୁ ଫେରିବାର ସମ୍ଭାବନା କମ ରହିଛି। ରିପୋର୍ଟ ମୁତାବକ ପେଶାଦାର କ୍ରିକେଟକୁ ପ୍ରତ୍ୟାବର୍ତ୍ତନ ପାଇଁ ହାର୍ଦ୍ଦିକଙ୍କୁ ଆହୁରି ସମୟ ଲାଗିବ।
ଦୈନିକ ଜାଗରଣରେ ପ୍ରକାଶିତ ଖବର ଅନୁଯାୟୀ, ହାର୍ଦ୍ଦିକ ପାଣ୍ଡ୍ୟା ସଂପ୍ରତି ନିଜର ଆଘାତଜନିତ ସମସ୍ୟାରୁ ମୁକୁଳୁଛନ୍ତି। ସେ ବର୍ତ୍ତମାନ ବେଙ୍ଗାଲୁରୁ ସ୍ଥିତ ସେଣ୍ଟର ଅଫ ଏକ୍ସିଲେନ୍ସରେ ପୁନଃ ଥଇଥାନ ପ୍ରକ୍ରିୟା ଦେଇ ଗତି କରୁଛନ୍ତି। କ୍ରିକେଟ୍ ତ ଦୂରର କଥା ସଦ୍ୟତମ ରିପୋର୍ଟ ଅନୁଯାୟୀ, ସେ ତିନି ସପ୍ତାହ ପରେ ହିଁ ଜଗିଙ୍ଗ ଆରମ୍ଭ କରି ପାରିବେ। କେବଳ ଏତିକି ନୁହେଁ ଏହା ପରେ ଆଠ ସପ୍ତାହ ପର୍ଯ୍ୟନ୍ତ ତାଙ୍କର ଦୌଡ଼ିବା ଅବଧି ବୃଦ୍ଧି କରାଯିବ। ତେଣୁ ମ୍ୟାଚ୍ ପାଇଁ ଫିଟ୍ ହେବାକୁ ହେଲେ ହାର୍ଦ୍ଦିକଙ୍କୁ ଆହୁରି ଅନେକ ମାସ ସମୟ ଲାଗିବ।
ତେବେ ହାର୍ଦ୍ଦିକ ପାଣ୍ଡ୍ୟା କେବେ ସଂପୂର୍ଣ୍ଣ ଫିଟ୍ ହେବେ ସେ ନେଇ କୌଣସି ସମୟସୀମା ଜଣା ପଡ଼ିନାହିଁ। ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ତାଙ୍କୁ ଚୟନ କରାଯାଇ ନାହିଁ। କେବଳ ଏତିକି ନୁହେଁ ଆଗାମୀ ଶ୍ରୀଲଙ୍କା ସିରିଜ୍ ପାଇଁ ମଧ୍ୟ ତାଙ୍କୁ ଦଳରେ ସ୍ଥାନ ମିଳିନି। ଜାନୁଆରୀ ମାସରେ ଜିମ୍ଵାଓ୍ଵେ ଭାରତ ଗସ୍ତରେ ଆସି ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ। ବୋଧହୁଏ ଏହି ସିରିଜ୍ ବେଳକୁ ବି ପାଣ୍ଡ୍ୟା ସଂପୂର୍ଣ୍ଣ ଫିଟ୍ ହୋଇ ନ ଥିବେ।





