odisha24 Live

Latest News

Latest News

ରାଜ୍ୟ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି : ପିଲାମାନଙ୍କୁ ମିଳିବ ମାଗଣା ବହି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୧୧ଟି ବିଭାଗର ୧୬ଟି ପ୍ରସ୍ତାବ ମଞ୍ଜୁରୀ ଲାଭ କରିଛି । ଶାସନ ମୁଖ୍ୟ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୫ ବର୍ଷର କାର୍ଯ୍ୟକାଳ ପୂର୍ଣ୍ଣ କରିଥିବାରୁ ଅଭିନନ୍ଦନ ଜଣାଇ ଓଡ଼ିଶା କ୍ୟାବିନେଟରେ ସଂକଳ୍ପ ପାରିତ ହୋଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ସେହିପରି ନବମ ଓ ଦଶମ ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ପ୍ରଦାନ ଯୋଜନା, OSCMF ଓ OSSC ପାଇଁ ୧,୩୬୦ କୋଟି କର୍ପସ ଫଣ୍ଡ, ୪.୨୦ ଲକ୍ଷ ଯୁବକ-ଯୁବତୀଙ୍କୁ ଦକ୍ଷତା ପ୍ରଶିକ୍ଷଣ ଓ କେନ୍ଦୁଝରରେ ଡିଜାଷ୍ଟର ରିକଭରି ଡାଟା ସେଣ୍ଟର ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି ।ଜଳ ସମ୍ପଦ ବିଭାଗର ୩ଟି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୩ ଟି, ମତ୍ସ୍ୟ ଓ ପ୍ରାଣୀପାଳନ ବିଭାଗ ର ୨ଟି, ଶିଳ୍ପ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଅର୍ଥ ବିଭାଗ, ଇଲେକ୍ଟ୍ରୋନିକ ଓ ଆଇଟି ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ସପ୍ତଦଶ ଓଡ଼ିଶା ବିଧାନସଭାର ସପ୍ତମ ଅଧିବେଶନର ସତ୍ରାବସାନ ସମ୍ପର୍କିତ ଗୋଟିଏ ଲେଖାଏଁ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ଦେଇଛି । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟରେ ନିଆଯାଇଥିବା ସମସ୍ତ ପ୍ରସ୍ତାବର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ।

ରାଜ୍ୟ କ୍ୟାବିନେଟରେ ମାଗଣା ପାଠ୍ୟପୁସ୍ତକ ଯୋଗାଣ ଯୋଜନାକୁ ଅନୁମୋଦନ ମିଳିଛି । ଏହି ଯୋଜନାରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ଏସ୍‌ସି ଓ ଏସ୍‌ଟି ବର୍ଗ ବ୍ୟତୀତ ଅନ୍ୟ ଛାତ୍ରଛାତ୍ରୀଙ୍କୁ ମାଗଣାରେ ବହି ଯୋଗାଇ ଦିଆଯିବ । ୨୦୨୫-୨୬ରୁ ୨୦୨୯-୩୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୫ ବର୍ଷରେ ଏହି ଯୋଜନା ପାଇଁ ୨୮୪.୦୭ କୋଟି ଟଙ୍କା ବ୍ୟୟ ହେବ । ଏଥିରେ ପ୍ରାୟ ୨୮.୭ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ ।

Share In Social Media
Scroll to Top