
ବେଜିଂ: ଲଦାଖର ୨୮ଟି ସ୍ଥାନର ମାନକ ନାମ ଘୋଷଣା କରିବା ସହ ସେଗୁଡ଼ିକୁ ସରକାରୀ ମାନଚିତ୍ରରେ ସାମିଲ କରିବା ନେଇ ଭାରତର ପଦକ୍ଷେପକୁ ବିରୋଧ କରିଛି ଚୀନ୍। ଭାରତର ଏହି ନିଷ୍ପତ୍ତିକୁ ବେଜିଂ ‘ଏକପାଖିଆ ଓ ବେଆଇନ’ କହିଛି। ଏଥିସହ ଲଦାଖକୁ ନେଇ ନିଜର ଦାବି ଦୋହରାଇବା ସହ ଏହି ପଦକ୍ଷେପକୁ ଚୀନ୍ ସ୍ୱୀକାର କରେ ନାହିଁ ବୋଲି ସ୍ପଷ୍ଟ କରିଛି।
ବେଜିଂରେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମାଓ ନିଙ୍ଗ୍ ଏହି ପ୍ରସଙ୍ଗରେ ଚୀନ୍ର ଆଭିମୁଖ୍ୟ ରଖିଛନ୍ତି। ଭାରତୀୟ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଲଦାଖର ସୀମାନ୍ତ ଅଞ୍ଚଳର ୨୮ଟି ସ୍ଥାନର ମାନକ ନାମ ନିର୍ଦ୍ଧାରଣ କରାଯିବା ଏବଂ ସେଗୁଡ଼ିକୁ ସରକାରୀ ମାନଚିତ୍ରରେ ଚିହ୍ନିତ କରାଯିବା ସମ୍ପର୍କରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ଉତ୍ତରରେ ମାଓ ନିଙ୍ଗ୍ କହିଥିଲେ ଯେ, ଭାରତ ଏକପାଖିଆ ଭାବେ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ଗଠନ କରିଛି। ଚୀନ୍ ଏହି ପଦକ୍ଷେପକୁ ସ୍ୱୀକୃତି ଦିଏ ନାହିଁ। ସୂଚନାଥାଉ କି ଚଳିତ ଅକ୍ଟୋବର ମାସର ଆରମ୍ଭରେ ଭାରତ ଲଦାଖର ୨୮ଟି ସ୍ଥାନର ନାମକୁ ମାନକୀକରଣ କରିଥିଲା। ଏହି ସ୍ଥାନଗୁଡ଼ିକୁ ସରକାରୀ ସର୍ଭେ ଅଫ୍ ଇଣ୍ଡିଆ ମାନଚିତ୍ରରେ ଚିହ୍ନିତ କରାଯାଇଛି। ଏହି ତାଲିକାରେ ଆତିଶା ଗିରି, ବ୍ରାଙ୍ଗସା, ଚାପଚିଙ୍ଗାଲ ପାସ୍ ସମେତ ଅନ୍ୟାନ୍ୟ ସ୍ଥାନ ରହିଛି।





