
ପୁରୀ : ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ନୂଆ ଦର୍ଶନ ବ୍ୟବସ୍ଥା କରାଯାଇଛି। ଯାହା କେବଳ ବୟସ୍କ ଓ ଭିନ୍ନକ୍ଷମ ଭକ୍ତମାନଙ୍କ ପାଇଁ, ଶୃଙ୍ଖଳିତ ଓ ସୁବିଧାଜନକ ଦର୍ଶନ ସୁନିଶ୍ଚିତ କରିବା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ସେମାନଙ୍କ ଯାତାୟାତକୁ ସୁଗମ କରିବା ପାଇଁ ଉତ୍ତର ଦ୍ୱାରସ୍ଥିତ ‘ଗୁମୁଟ’ ଠାରୁ ଆରମ୍ଭ କରି ‘କୂର୍ମ ବେଢ଼ା’ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ରାମ୍ପ୍ ବା ଢାଲୁ ରାସ୍ତା ଓ ରେଲିଂ ନିର୍ମାଣ କରାଯାଇଛି।
ବୟସ୍କ ଓ ଭିନ୍ନକ୍ଷମ ଭକ୍ତମାନଙ୍କୁ ନାଟମଣ୍ଡପ କିମ୍ବା ଜଗମୋହନ ପର୍ଯ୍ୟନ୍ତ ଯିବାରେ ଏବଂ ଦର୍ଶନ ସମୟରେ ସହାୟତା କରିବା ପାଇଁ ମନ୍ଦିର ଭିତରେ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷିତ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ। ଏହି ସେବା ପାଇଁ ଆବଶ୍ୟକ ସ୍ୱେଚ୍ଛାସେବୀ ଯୋଗାଇଦେବାକୁ ଅନୁରୋଧ କରି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ପୁରୀ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।
ସାଧାରଣ ଭକ୍ତମାନେ ଯେପରି ସହଜରେ ଏହି ସୁବିଧା ପାଇପାରିବେ, ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଏକ ଅନ୍ଲାଇନ୍ ବ୍ୟବସ୍ଥା ଓ ମୋବାଇଲ୍ ଆପ୍ ପ୍ରସ୍ତୁତ କରୁଛି। ପ୍ରାରମ୍ଭିକ ପର୍ଯ୍ୟାୟରେ, ପ୍ରତିଦିନ ୫୦ ଜଣ ବୟସ୍କ ଓ ଭିନ୍ନକ୍ଷମ ଭକ୍ତଙ୍କୁ ଏହି ସ୍ୱତନ୍ତ୍ର ଦର୍ଶନ ସୁବିଧା ଯୋଗାଇ ଦିଆଯିବ। ଭକ୍ତମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୋଇ ମନ୍ଦିର ପରିସର ମଧ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ପ୍ରଭୁଙ୍କ ଦର୍ଶନ କରିପାରିବେ, ସେଥିପ୍ରତି ପ୍ରାଥମିକତା ଦିଆଯାଇଛି।





