
ନୂଆଦିଲ୍ଲୀ: ୟୁପିଆଇ ପେମେଣ୍ଟକୁ ନେଇ ପ୍ରସ୍ତାବିତ ନୂଆ ନିୟମ ବିରୋଧରେ ମଧ୍ୟପ୍ରଦେଶର ବ୍ୟବସାୟୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଜି ରାଜ୍ୟର ବିଭିନ୍ନ ବଡ଼ ସହରରେ ‘ନୋ ୟୁପିଆଇ ଡେ’ ପାଳନ କରିବାକୁ ବ୍ୟବସାୟୀ ସଂଗଠନଗୁଡ଼ିକ ପ୍ରସ୍ତୁତ ହୋଇଛନ୍ତି। ଇନ୍ଦୋର, ଭୋପାଳ, ଜବଲପୁର ଓ ଗୱାଲିୟର ଭଳି ସହରରେ ୟୁପିଆଇ ପେମେଣ୍ଟ ଗ୍ରହଣ ନକରିବାକୁ ଅଭିଯାନ ଚାଲିବ।
ଇନ୍ଦୋରରୁ ଏହି ବିରୋଧର ଆରମ୍ଭ ହୋଇଛି। ଦାବି ଅନୁସାରେ, ୧୨୫ରୁ ଅଧିକ ବ୍ୟବସାୟୀ ସଂଘ ଏବଂ ପ୍ରାୟ ୨ ଲକ୍ଷ ବ୍ୟବସାୟୀ ଏହି ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ସରାଫା ବଜାର, କପଡ଼ା ବଜାର ଓ ମାରୋଠିଆ ବଜାର ଭଳି ପ୍ରମୁଖ ବ୍ୟବସାୟିକ ଅଞ୍ଚଳରେ ଡିଜିଟାଲ ପେମେଣ୍ଟ ବନ୍ଦ ରଖିବାକୁ ବ୍ୟବସାୟୀମାନେ ଆହୱାନ ଦେଇଛନ୍ତି।
ମଙ୍ଗଳବାର ରାତିରେ ରିଗାଲ ସ୍କୋୟାରରେ ଟାଇଲ୍ସ ଆଣ୍ଡ ସାନିଟାରୀ ୱେୟାର ବ୍ୟବସାୟୀ ସଂଘର ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଏଥିରେ ୧୫୦ରୁ ଅଧିକ ବ୍ୟବସାୟୀ ସାମିଲ ହୋଇ UPI ଉପରେ ଚାର୍ଜକୁ ବିରୋଧ କରି ନାରାବାଜି କରିଥିଲେ।
ବ୍ୟବସାୟୀମାନେ ଅଭିଯୋଗ କରୁଛନ୍ତି ଯେ ଅକ୍ଟୋବର ୧୫ରୁ ୨,୦୦୦ ଟଙ୍କାରୁ ଅଧିକ ମର୍ଚ୍ଚାଣ୍ଟ UPI ଟ୍ରାଞ୍ଜାକ୍ସନ ଉପରେ ୦.୪ ପ୍ରତିଶତ MDR ଲାଗୁ ହେବାର ପ୍ରସ୍ତାବ ରହିଛି। ଏହା ଲାଗୁ ହେଲେ ଛୋଟ ବ୍ୟବସାୟୀଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ ବୋଲି ସେମାନେ କହିଛନ୍ତି।





